ଆରବିଏସ କନସଲ୍ଟାନସି ରେ ସ୍ବର୍ଗତ ରତନ ଟାଟାଙ୍କ ଦ୍ୱାଦଶାହ ଅବସରରେ ସ୍ମୃତିସଭା

ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ବାଉଣ୍ଡଲୁଣ୍ଡି ସ୍ଥିତ ଆରବିଏସ କନସଲ୍ଟାନସି ପରିସରରେ ରବିବାର ସ୍ବର୍ଗତ ରତନ ଟାଟାଙ୍କ ଦ୍ୱାଦଶାହ ଅବସରରେ ସ୍ମୃତିସଭା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ଶାନ୍ତି ସ୍ରୋତ ଭବନର ସଂଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜଓକେ ଇଣ୍ଡିଆ ପ୍ରା. ଲି. ର ଭଞ୍ଜନଗର ପରିଚାଳକ ତଥା ଓଡ଼ିଶା ଟୁଡେ ଚିଫ ଏଡ଼ିଟର ସୁବ୍ରତ କୁମାର ଦାଶ ଏବଂ ପରିବେଶବିତ୍ ତଥା ବରିଷ୍ଠ ସମାଜସେବୀ ଶୂଳପାଣି ଶତପଥୀ ଯୋଗ ଦେଇଥିଲେ । ଏହି ସ୍ମୃତିସଭା ରେ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତେ ଅତିଥି ମାନଙ୍କ ସହ ସ୍ବର୍ଗତ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅତିଥି ଶ୍ରୀ ସୁବ୍ରତ ଦାଶ ସ୍ବର୍ଗତ ରତନ ଟାଟାଙ୍କ ଦେଶ ତଥା ବିଶ୍ଵ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ନାମରେ ଆରମ୍ଭ ହୋଇଥିବା ଆରବିଏସ କନସଲ୍ଟାନସି ଆଗକୁ ସମାଜର କଲ୍ୟାଣ କରିବା ସହ ଏହି ସଂସ୍ଥାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ ।

ଅତିଥି ଶ୍ରୀ ଶୂଳପାଣି ଶତପଥୀ ସ୍ବର୍ଗତ ରତନ ଟାଟାଙ୍କ ଭଳି ମହାନ୍ ବ୍ୟକ୍ତିତ୍ଵଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରିବେଶ ତଥା ସମାଜର ମଙ୍ଗଳ ସାଧନ କରିବାକୁ ଶପଥ ପାଠ କରାଇଥିଲେ। ମୁଖ୍ୟ ଅତିଥି ସନ୍ତୋଷିନୀ ଭଉଣୀ ସ୍ବର୍ଗତ ରତନ ଟାଟାଙ୍କ ଭଳି ମହାନ୍ ଆତ୍ମାର ସଦଗତି କାମନା କରିବା ସହ ଏକ ସଜ୍ଜନ ଜୀବନର ଆଦର୍ଶ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ପରିଚାଳକ ଶ୍ରୀ ବବି ରଥ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ ଅନ୍ୟତମ ପରିଚାଳକ ବି ସୁଶାନ୍ତ ପାତ୍ର ରତନ ଟାଟାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆରମ୍ଭ ହୋଇଥିବା ଉକ୍ତ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପ୍ରକାଶ ଥାଉକି ଆରବିଏସ କନସଲ୍ଟାନସି, ଅକ୍ସିସେଭ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ଏକ ଉଦ୍ୟମ । ଯାହାକି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ବିଭିନ୍ନ ସମୟରେ ଆବଶ୍ୟକ କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁ ରୂପେ ସମ୍ପାଦନା କରିବାକୁ ପ୍ରତିବଦ୍ଧ । ଏହା କେବଳ ଗୋଟିଏ ଅଞ୍ଚଳରେ ସୀମିତ ନ ରହି ଆଗକୁ ଓଡ଼ିଶା ତଥା ଓଡ଼ିଶା ବାହାରେ କାର୍ଯ୍ୟ କରିବାକୁ ପ୍ରଚେଷ୍ଟା ଜାରି ରଖିବ ।

Leave a Reply

Your email address will not be published. Required fields are marked *