ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବେ କେନ୍ଦ୍ର ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଅବଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାତ୍ୟା ପାଇଁ କିଭଳି ପ୍ରସ୍ତୁତି କରାଯାଇଛି, ସେନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ବାତ୍ୟା ‘ଦାନା’କୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଟେଲିଫୋନ ଯୋଗେ ବିସ୍ତୃତ ଆଲୋଚନା କରିଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଯେପରିକି ସୁରକ୍ଷା ବଳ, ଏନ୍‌ଡିଆରଏଫ୍‌, ଓଡ୍ରାଫ ଆଦି ମୁତୟନ, ରିଲିଫ, ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଇତ୍ୟାଦି ସମ୍ପର୍କରେ ମୁଁ ସୂଚନା ପ୍ରଦାନ କରିଛି। ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବ୍ୟବସ୍ଥାକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆବଶ୍ୟକ ସ୍ଥଳେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ଚିନ୍ତାବ୍ୟକ୍ତ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।

Leave a Reply

Your email address will not be published. Required fields are marked *