ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାତାୟତ ଠପ୍‌, ପୁନରୁଦ୍ଧାର କାମ ଜାରି

ଭୁବନେଶ୍ବର/ଭଦ୍ରକ/ଧାମରା: ସାମୁଦ୍ରିକ ଝଡ଼ ‘ଦାନା’ ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ସ୍ଥଳଭାଗ ଅତିକ୍ରମ କରିଛି। ବାତ୍ୟା ଯୋଗୁଁ ମାନବିକ କ୍ଷତି ହୋଇ ନଥିବା ବେଳେ ଫସଲ କ୍ଷୟକ୍ଷତି କରିଛି। ଭଦ୍ରକ ଜିଲ୍ଲାରେ ବର୍ଷା ଓ ପବନ ଯୋଗୁଁ ଫସଲକୁ କ୍ଷତି ପହଞ୍ଚାଇଛି। ଭଦ୍ରକ, ଚାନ୍ଦବାଲି, ଧାମରା ଏବଂ ଜିଲ୍ଲାର ଅନ୍ୟ ସ୍ଥାନରେ ଆଜି ଭୋର ସକାଳ ଠାରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ଷା ଆହୁରି କିଛି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଗତକାଲି ଠାରୁ ଜିଲ୍ଲାରେ ବର୍ଷା ଜାରି ରହିବା ଦ୍ବାରା ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ଜରୁରୀ କାମ ଥିଲେ ମଧ୍ୟ ବାହାରକୁ ଯିବାର ସମ୍ଭବ ହୋଇପାରୁ ନାହିଁ। ରାସ୍ତାରେ ପଡ଼ି ରହିଥିବା ବିଶାଳ ଗଛଗୁଡ଼ିକ ଲୋକଙ୍କର ଗମନାଗମନକୁ ଅଟକାଇ ରଖିଛି ।

ଭଦ୍ରକ ସହରରୁ ଚାନ୍ଦବାଲି ରାସ୍ତାର ଏକାଧିକ ସ୍ଥାନରେ ବଡ଼ବଡ଼ ଗଛ ଢଳି ପଡ଼ି ରାସ୍ତା ଅବରୋଧ ହୋଇଛି। ଓଡ୍ରାଫ୍‌ ଓ ଏନଡିଆରଏଫ୍‌ ଟିମ୍‌ ରାସ୍ତା ସଫା କରିବାରେ ନିୟୋଜିତ ଅଛନ୍ତି। କିନ୍ତୁ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସେମାନଙ୍କର କାମରେ ବାଧା ସୃଷ୍ଟି ହେଉଛି। ସେହିପରି ଧାମରାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ମଧ୍ୟ ବିଶାଳକାୟ ଗଛଗୁଡ଼ିକ ଉପୁଡି ପଡ଼ିଥିବାରୁ ସାଧାରଣ ଲୋକଙ୍କର ଗମନାଗମନ ହୋଇପାରି ନାହିଁ। ଆଜି ସନ୍ଧ୍ୟା ହୋଇଯାଇଥିବାରୁ ପୁନରୁଦ୍ଧାର କାର୍ଯ୍ୟ ଆସନ୍ତାକାଲି ଠାରୁ ଆଗକୁ ବଢ଼ିବ।ଧାମରା ଓ ଚାନ୍ଦବାଲି ବ୍ଲକର ଅନେକ ଗାଁରେ ଗତକାଲି ଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି ।

ଆଜି କିଛି ସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ଆହୁରି ଅନେକ ଗାଁ ଏବେବି ଅନ୍ଧାରରେ ବିତୁଛି। ଫଳରେ ଲୋକଙ୍କ ମନରେ ଚୋରିର ଭୟ ରହୁଛି। ଭୀଷଣ ବାତ୍ୟା ଓ ବର୍ଷା ପ୍ରଭାବରେ କେବଳ ଭଦ୍ରକ ଜିଲ୍ଲାବସୀ ପ୍ରଭାବିତ ହୋଇ ନାହାନ୍ତି। ବରଂ ଉପକୂଳ ଓଡିଶାର ଅନ୍ୟ ଜିଲ୍ଲାର ଲୋକେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆଜି ସକାଳୁ ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭଦ୍ରକ ବାସୁଦେବପୁର, କେନ୍ଦ୍ରାପଡ଼ା ମାର୍ଷାଘାଇରେ ୧୧୦ ମିଲିମିଟର ବର୍ଷା ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ୧୫୬ ମିଲିମିଟର ବର୍ଷା ହୋଇଛି। ରାଜନଗରରେ ୧୦୦ ମିଲିମିଟର, ମହାକାଳପଡ଼ା, ଆଳିରେ ୯୦ ଓ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାରାଦୀପରେ ୭୬.୪ ମିଲିମିଟର ବର୍ଷା ହୋଇଛି। ପାଣିପାଗ ବିଭାଗ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ।

Leave a Reply

Your email address will not be published. Required fields are marked *