ପୁରୀରେ‌ ଟ୍ରେନ୍‌ ସିଟ୍‌ ତଳେ ୧୫୦ ଜୀବନ୍ତ ଗୁଳି ଛାଡ଼ି ଖସିଗଲା ଦୁର୍ବୃତ୍ତ

ପୁରୀ: ହିଂସା ଉଦ୍ଦେଶ୍ୟରେ ଅଣାଯାଇଥିବା ଗୁଳିଗୁଡ଼ିକ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସୁରକ୍ଷା କର୍ମୀଙ୍କ ପାଖରେ ଅଟକି ଯାଇଛି। ବନ୍ଧୁକରେ ଲାଗି ଫୁଟିବା ଆଗରୁ ଏଗୁଡ଼ିକ ଆରପିଏଫ୍‌ ହାତରେ ଧରାପଡ଼ିଛି। ପୁରୀ ରେଳଷ୍ଟେସନରେ ଆଜି ଆରପିଏଫ୍‌ର କର୍ମଚାରୀମାନେ ଏକ ଟ୍ରେନ୍‌ରୁ ୧୫୦ଟି ଗୁଳି ଜବତ କରିଛନ୍ତି।ସୂଚନା ଅନୁସାରେ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଆଜି ପୂର୍ବାହ୍‌ଣରେ ପୁରୀ ରେଳଷ୍ଟେସନରେ ପହଞ୍ଚି ଥିଲା ।

ଷ୍ଟେସନରେ ରେଳ ପହଞ୍ଚିଲା ପରେ ଯାତ୍ରୀମାନେ ନିଜନିଜ ରାସ୍ତାରେ ବାହାରି ଯାଇଥିଲେ। ଏହା ପରେ ଦୀପାବଳି ଅବସରରେ ସୁରକ୍ଷାକୁ ଗୁରୁତ୍ବ ଦେଇ ସୁରକ୍ଷାକର୍ମୀମାନେ ଟ୍ରେନ୍‌ ଯାଞ୍ଚ ବେଳେ ଏସ୍‌-୨ କୋଚ୍‌ର ସିଟ୍‌ ନମ୍ବର ୭୩ ‌ତଳେ ଏକ ବ୍ୟାଗ୍‌ ଠାବ କରିଥିଲେ। ଏହାକୁ ଯାଞ୍ଚ କରାଯିବା ‌ବେଳେ ୮ଏମ୍‌ଏମ୍‌ର ୧୫୦ଟି ଗୁଳି ମିଳିଥିଲା। ପବିତ୍ର ତୀର୍ଥସ୍ଥଳୀ ଶ୍ରୀକ୍ଷେତ୍ରରେ ଅନେକ ସମୟରେ ହିଂସା ଦେଖାଯାଉଛି। ଗୁଳି ଫୁଟିବା, ବାଣ ବିସ୍ଫୋରଣ ହେବା, ଖଣ୍ଡା-ଭୁଜାଲି ଚୋଟ ଏକ ସାଧାରଣ କଥା ହୋଇଯାଇଛି। ତେବେ ପୁରୀ ରେଳଷ୍ଟେସନରେ ଟ୍ରେନ୍‌ ଭିତରୁ ବ୍ୟାପକ ପରିମାଣରେ ଗୁଳି ଜବତ ହେବା ଘଟଣା ପ୍ରଥମ। ତେବେ ଏସ୍‌-୨ କୋଚ୍‌ର ୭୩ ନମ୍ବର ସିଟ୍‌ରେ ଥିବା ଯାତ୍ରୀ ଜଣକ ଏହି ଗୁଳି ଆଣି ଥିଲେ ନାଁ ପୁଲିସ ହାତରେ ଧରାପଡ଼ିବା ଭୟରେ ଆଉ କେହି ଏଠାରେ ଛାଡ଼ି ପଳାଇଛନ୍ତି, ସେନେଇ ଜଣାପଡ଼ି ନାହିଁ। ଆରପିଏଫ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *