ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ କେନ୍ଦୁଝର ହେବ ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝରରେ ବଡ଼ କାରଖାନା ହେବାର ଆଶା ଦେଖାଦେଇଛି। କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ହେବ। ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ ଏହି ମେଗା ଷ୍ଟିଲ କାରଖାନା ନିର୍ମାଣ ହେବ। କେନ୍ଦୁଝର ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶାର ରୋଡ୍‌ ସୋ’ର ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ମୁଁ ଯୋଗ ଦେଇଥିଲି। ସେହି ସମୟରେ ଉଭୟ ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା କରିଥିଲି। ଏବେ ଏହି ୨ କଂପାନି ବୁଝାମଣା ପତ୍ର ସ୍ବାକ୍ଷର କରିିଛନ୍ତି। ସେମାନେ କେନ୍ଦୁଝରରେ ଷ୍ଟିଲ କାରାଖାନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। -ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ ସୂଚନାଯୋଗ୍ୟ, ଜେଏସ୍‌ଡବ୍ଲ୍ୟୁ ସହ ପୋସ୍କୋ ଏମ୍‌ଓୟୁ କରିବା ପରେ ରାଜ୍ୟରେ ଷ୍ଟିଲ କାରଖାନା ନେଇ ଚର୍ଚ୍ଚା ଜୋର ଧରିଥିଲା। କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବା ଦ୍ବାରା ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ମିଳିବାର ଆଶା ଦେଖାଯାଉଛି। ଏହି କାରଖାନା ଗଢ଼ିବା ଦ୍ବାରା ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକଙ୍କ ପାଇଁ ରୋଜଗାରର ବାଟ ଫିଟିବ ବୋଲି ଆଶଙ୍କା କରାଯାଉଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଠାରୁ ଦୁଇ ଦିନିଆ ଗସ୍ତରେ କେନ୍ଦୁଝର ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ଗୁରୁବାର ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ ପୂଜା ଓ ଦୀପାବଳି ଉତ୍ସବ ଏବଂ ଏହାକୁ ସେ ନିଜ ଗାଁରେ ପାଳନ କରିଥିଲେ। ପ୍ରଥମେ ସେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି କେନ୍ଦୁଝରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *