ହିତାଧିକାରୀଙ୍କୁ ୩ମାସର ଚାଉଳ ଆଗୁଆ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ। ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି।ଇ-ଶ୍ରମିକରେ ପଞ୍ଜୀକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ଲକ୍ଷ ୩୧ ହଜାର ଶ୍ରମିକ ବାକି ରହିଛନ୍ତି ।

ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ସରକାର ବଦଳିବା ପରେ ଗତ ଅଗଷ୍ଟ ମାସ ଠାରୁ ଇ-କେୱାଇସି ଆରମ୍ଭ ହୋଇଛି। ଏହାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଇ-କେୱାଇସି ନଭରିଲେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିବନି ବୋଲି ସରକାର ଚେତାବନୀ ଦେଇଛନ୍ତି। ରାଜ୍ୟରେ ଏବେ ଇ-କେୱାଇସି ଜାରି ରହିଛି। ହିତାଧିକାରୀମାନେ ଏଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲାଇନ ଲଗାଉଛନ୍ତି ।

Leave a Reply

Your email address will not be published. Required fields are marked *