ଭଂଜନଗରରେ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଭଂଜନଗର: ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାକୁ ଉଦ ଘାଟନ କରିଥିଲେ । ସମ୍ମାନିତ ଅତିଥି ରୁପେ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ନିଳମଣୀ ବିଷୋୟୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳ ଚାଷୀଙ୍କ ଅର୍ଥନୈତିକ ବିକାଶ ହେଲେ ରାଜ୍ୟର ବିକାଶ ହେବ ।

ସରକାର ସମସ୍ତ ପ୍ରକାର କୃଷି ଯନ୍ତ୍ରପାତିକୁ ରିହାତି ଦରରେ ଚାଷୀ ମାନଙ୍କୁ କୃଷି ବିଭାଗ ମାଧ୍ୟମରେ ଯୋଗାଇ ଦେଉଛନ୍ତି। ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚି କୃଷି ଓ କୃଷକର ବିକାଶ ହେବ ବୋଲି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣ ରେ କହିଥିଲେ । ତିନିଦିନ ଧରି ଚାଲିବାକୁ ଥିବା ମେଳାରେ ଟ୍ରାକ୍ଟର, ପାୱାରଟିଲର, ଧାନ ଅମଳ,ଧାନ ରଆ,ମଞ୍ଜି ସଫା, ରୋଟାଭେଟର,ଘାସ ଛେଦନ, କୋଡାଖୁସା, ଘାସ କଟା, ଗାତ ଖୋଳା,ଧାନ କଳ, ମକା ଛଡା, ଡାଲି କଳ, ତେଲ କଳ, ମୁଢି ମିଲ୍, ବିହନ ବୁଣା,ସାର ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ବିକ୍ରି ସହ ପ୍ରଦର୍ଶନ କରାଯାଉଛି। ଏହା ସହ ଅଞ୍ଚଳର ଚାଷୀ ମାନଙ୍କୁ ନେଇ କୃଷି ପାଠଶାଳା ମଧ୍ଯ ଅନୁଷ୍ଠିତ ହୋଇଛି। ଏହି ମେଳାରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କୃଷି ଯନ୍ତ୍ରପାତି, ବିଭିନ୍ନ ମହିଳା ଏସଏଚଜି ଗୋଷ୍ଠୀର ଉତ୍ପାଦନ ଦ୍ରବ୍ୟ ସମେତ ସରକାରଙ୍କ ବିଭିନ୍ନ ବିଭାଗର ୨୫ ଷ୍ଟଲ ମେଳାରେ ଖୋଲା ଯାଇଛି ।

ଏହି ଅବସରରେ ୬ ଜଣ କୃଷକ ଙ୍କୁ ରିହାତି ଦରରେ ଟ୍ରାକ୍ଟର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ଵରଞ୍ଜନ କର, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ବ୍ଳକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ, ନଗର ସାଂସଦ ପ୍ରତିନିଧ ସନ୍ତୋଷ କୁମାର ତିଆଡି ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ପଣ୍ଡା ସ୍ଵାଗତ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ କୃଷି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଚୌଧୁରୀ ଦେବବ୍ରତ ଦାସ ଯୋଗ ଦେଇ ବିଭିନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଜ୍ଞାନକୌଶଳ ଉପଯୋଗିତା ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ ବ୍ୟାମକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଅଧିନ ୮ଟି ବ୍ଲକର ଚାଷୀ ଯୋଗ ଦେଇଥିଲେ । ସହକାରୀ କୃଷି ଅଧିକାରୀ ଦିବ୍ୟରଞ୍ଜନ ମାଝୀଙ୍କ ସମେତ ସମସ୍ତ କୃଷି ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *