ଘୁମୁସର ବିକାଶ ପରିଷଦ ର ଜରୁରୀ ବୈଠକ

ଭଞ୍ଜନଗର (ଓଡିଶା ଟୁଡେ) : ସ୍ଥାନୀୟ ନାୟକ ଭବନ ଠାରେ ଆଜି ମଧ୍ୟାହ୍ନ ରେ ଘୁମୁସର ବିକାଶ ପରିଷଦ ର ଏକ ଜରୁରୀ ବୈଠକ ଆଗାମୀ ବିଧାନ ସଭା ଶୀତ କାଳୀନ ଅଧିବେଶନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ. ପରିଷଦର ଅନ୍ୟତମ ନ୍ୟାସୀ ସଦସ୍ୟ ଦିବଂଗତ ହରିକୃଷ୍ଣ ସାହୁଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଗତ ବୈଠକ ର ବିବରଣୀ ପାଠ କରିଥିଲେ ଓ ତାହା ଗୃହୀତ ହୋଇଥିଲା. ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଭଞ୍ଜନଗର ରେ ଶୀତଳ ଭଣ୍ଡାର ର ଶିଳାନ୍ୟାସ କରି ଘୁମୁସର ଚାଷୀ ମାନଙ୍କ ବହୁବର୍ଷର ଦାବୀ ପୂରଣ କରିଥିବାରୁ ପରିଷଦ ତରଫରୁ ବିଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ବିଧାୟକ ଙ୍କ ପୂର୍ଣ୍ଣ ସହାୟତା ରେ ଭଞ୍ଜନଗର ଓକିଲ ସଂଘ ଦୀର୍ଘ ଚାଳିଶ ବର୍ଷପରେ ଭଞ୍ଜନଗର ରେ ଓଡିଶା ଓକିଲ ସଂଘ ବାର୍ଷିକ ଅଧିବେଶନ ଆସନ୍ତା ଡିସେମ୍ବର 30,31ଦୁଇଦିନ ଧରି ପାଳନ କରୁଥିବାରୁ ସ୍ୱାଗତ କରାଯାଇଥିଲା । ଘୁମୁସର ଜିଲ୍ଲା ଦାବୀ କିପରି ଶୀଘ୍ର ପୂରଣ ହେବ ସେ ଦିଗରେ ଆଶୁ ପଦକ୍ଷେପ ନେବାକୁ ବିଧାୟକ ମହୋଦୟଙ୍କୁ ଅନୁରୋଧ ଜଣାଇ ପ୍ରସ୍ତାବ ଗୃହୀତ ହୋଇଛି । ଏ ଦିଗରେ ସ୍ଥାନୀୟ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ସହଯୋଗ କରିବାକୁ ସବୁ ବ୍ଲକ ର 5ଜଣ ବରିଷ୍ଠ ନାଗରିକ ମାନଙ୍କୁ ଏକ କମିଟି ଗଠନ କରାଯାଇଛି. ଘୁମୁସର ଜିଲ୍ଲା ସାଙ୍ଗକୁ ଭଞ୍ଜନଗର ଏନ. ଏ ସି କୁ ତୁରନ୍ତ ମୁନିସିପାଲିଟି ଭାବେ କାର୍ଯ୍ୟକ୍ଷମ କରିବା, ତାରାସିଂଙ୍ଗି ନିକଟ ତିନି ଛକିଆ, ବାଲିପଦର ଓ ସୋରଡ଼ା ବଡ଼ଗଡ଼ କୁ ବ୍ଲକ ଘୋଷଣା କରିବାକୁ ଦାବୀରଖି ଅନ୍ୟ ଏକ ପ୍ରସ୍ତାବ ଗୃହୀତ ହୋଇଛି । ଦିବଂଗତ ନ୍ୟାସୀଙ୍କ ଜାଗାରେ ବାଉଁଶଲୁଣ୍ଡି ଗ୍ରାମର ଶ୍ରୀଯୁକ୍ତ ସୁରେନ୍ଦ୍ର ବେହେରା ଙ୍କୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଛି । ଅନ୍ୟ ମାନଙ୍କ ଭିତରେ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା, ରବି ନାରାୟଣ ସାମନ୍ତ, ଗୋବିନ୍ଦ ଚନ୍ଦ୍ର ଲେଙ୍କା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ.ସଭାପତି ଙ୍କୁ ଧନ୍ୟବାଦ ଦେଇ ବୈଠକ ସାଙ୍ଗ ହୋଇ ଥିଲା ।

Leave a Reply

Your email address will not be published. Required fields are marked *