ଓଡ଼ିଆ ସିନେମା ନିର୍ମାଣ ପାଇଁ ସବ୍‌ସିଡି ଦିଅ: ରାଜ୍ୟପାଳ

ଭୁବନେଶ୍ବର: ୧୯୩୬ରୁ ଭାରତୀୟ ସିନେମାକୁ ସମୃଦ୍ଧ କରିଛି ଓଡ଼ିଆ ଚଳଚ୍ଚିତ୍ର। ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍‌ନିସିଆନ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଓଡ଼ିଆ ସିନେମା କେବଳ ମନୋରଞ୍ଜନ ଦେଇ ନାହିଁ ବରଂ ସମାଜକୁ ଶିକ୍ଷିତ ଏକଜୁଟ୍ ଓ ସଶକ୍ତ କରିଛି। ତେଣୁ ରାଜ୍ୟ ସରକାର ଓଡ଼ିଆ ସିନେମା ନିର୍ମାଣ ପାଇଁ ସବ୍‌ସିଡି ପ୍ରଦାନ କରନ୍ତୁ। କାରଣ ଓଡ଼ିଆ ସିନେମା ଭାଷା ସଂସ୍କୃତିକୁ ସୁଦୃଢ଼ କରିବା ସହ ଅନେକ କଳାକାରଙ୍କୁ ରୋଜଗାର ମଧ୍ୟ ଦେଉଛି। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ମେ ଫେୟା‌ରଠାରେ ଆୟୋଜିତ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ଉଦ୍‌ଘାଟନ କରି ଏହା କହିଛନ୍ତି ରାଜ୍ୟପାଳ ରଘୁବର ଦାସ। ମୁଖ୍ୟ ଅତିଥି ଭାବେ ଶ୍ରୀ ଦାସ ଚଳଚ୍ଚିତ୍ର ଜଗତକୁ ଆହ୍ବାନ ଦେଇ କହିଛନ୍ତି, ଓଡ଼ିଶାକୁ ପ୍ରକୃତି ଅପାର ବିଭବ ଦେଇଛି। ଏହାର ପ୍ରାକୃତିକ ଶୋଭାରାଜି ବହୁତ ସୁନ୍ଦର। ସିନେମା ଉଦ୍ୟୋଗ ଅକୁହା କାହାଣୀଗୁଡ଼ିକୁ ସିନେମା ମାଧ୍ୟମରେ ବୟାନ କରନ୍ତୁ। ଭଲ ସିନେମା ନିର୍ମାଣ ପାଇଁ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଏହି ସ୍ୱପ୍ନକୁ ସାକାର କରିବାକୁ ସମସ୍ତେ ସହଯୋଗ କରିବାକୁ ରାଜ୍ୟପାଳ କହିଥିଲେ।ବିଶିଷ୍ଟ ଅତିଥି ଭାବେ ଉପ ମୁଖ୍ୟ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଲେ, ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ ।

ହେଲେ ପୂର୍ବର ସରକାର କଳାକାର ପ୍ରତି ଯେଭଳି ତତ୍ପର ହେବା କଥା ହୋଇନାହାନ୍ତି। ଏବେ ‌ଓଡ଼ିଶାରେ ଲୋକଙ୍କ ସରକାର ଅଛି। ତେଣୁ ଆଉ କିଛି ଅଟକି ରହିବନି। ବହୁଦିନରୁ କଳାକାର ପ୍ରତିଭାର ପୁରସ୍କାର ପାଇଁ ଅପେକ୍ଷା କରିଥିଲେ। ଯାହା ଆମ ସରକାର ଆସିବା ପରେ ଏକାଥରେ ପ୍ରଦାନ କରାଗଲା। ଏବେ ପ୍ରତି ବର୍ଷ ଚଳଚ୍ଚିତ୍ର ପୁରସ୍କାର ଦିଆଯିବ। ଉତ୍କର୍ଷ ଓଡ଼ିଶାକୁ ବାସ୍ତବରୂପ ଦେବାକୁ ସି‌ନେମା ଜଗତ କାମ କରୁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇ କହିଲେ, ରାଜ୍ୟପାଳ ଓଡ଼ିଶା ସରକାରଙ୍କୁ ଦେଇଥିବା ପରାମର୍ଶକୁ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରାଯିବ। ଏ ସମ୍ପର୍କରେ ଶିଳ୍ପ ବିଭାଗ ସହ ଆଲୋଚନା କରାଯିବ। ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ପୂର୍ବ ସରକାରଙ୍କ ଭୁଲ୍‌କୁ ‌ନ ଦୋହରାଇ ପ୍ରତି ବର୍ଷ ପୁରସ୍କାର ପ୍ରଦାନ ପାଇଁ କହିଥିଲେ ।

ଏଥିସହ ସିନେମା ପରି ଯାତ୍ରାରେ ମଧ୍ୟ ସେନ୍ସର ବୋର୍ଡ ଲାଗୁ କରିବାକୁ କହିଥିଲେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ୩ ବର୍ଷରେ ୧୦୬ ଜଣ ପାଇଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରଆବେଦନ କରିଥିଲେ ୪୬ ସିନେମା, ପୁରସ୍କାର ପାଇଲେ ୩୦ଏହି ଅବସରରେ ୨୦୨୦, ୨୦୨୧ ଓ ୨୦୨୨ ପାଇଁ ଏକାଥରେ ୩ ବର୍ଷର ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୁପ ୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ମସିହା ପାଇଁ ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ ୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହ ସ୍ମୃତିଫଳକ ଦେଇ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ସମ୍ମାନିତ କରିଥିଲେ। ଏହି ୩ ବର୍ଷ ପାଇଁ ମୋଟ ୪୬ଟି ଚଳଚ୍ଚିତ୍ର ଆବେଦନ କରିଥିବା ବେଳେ ଜୁରିମାନେ ୩୦ ଚଳଚ୍ଚିତ୍ରକୁ ପୁରସ୍କାର ପାଇଁ ଚୟନ କରିଥିଲେ। ଏହି ୩୨ଟି ବିଭାଗରେ ମୋଟ ୧୦୬ ଜଣଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜୁରୀ କମିଟିର ଅଧ୍ୟକ୍ଷ ସବ୍ୟସାଚ୍ଚୀ ମହାପାତ୍ର, ସଦସ୍ୟ ଗୋପାଳକୃଷ୍ଣ ମହାପାତ୍ର, ଅମରେଶ ପଟ୍ଟନାୟକ, ଶେଖର ଘୋଷ ଓ ବନଜା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ‌ଦେଇଥିଲେ। ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମା ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ସୁଲଗ୍ନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *