୩ୟ ଦିବସରେ ୨୧ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳ ଜନ ସମୁଦ୍ର; ଯୋଗ ଦେଲେ ପଶୁପାଳନ ମନ୍ତ୍ରୀ, ସୋରଡା, ବିଷମ କଟକ ଏବଂ ଭଞ୍ଜନଗର ବିଧାୟକ

ଭଂଜନଗର (ଓଡ଼ିଶା ଟୁଡେ) : ୩ୟ ଦିବସରେ ୨୧ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞର ୫ ଏକର ବିଶିଷ୍ଟ ଯଜ୍ଞସ୍ଥଳ ଜନ ସମୁଦ୍ରରେ ପରିଣତ ହୋଇଛି। ଆଜି ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ଘଟିଛି । ଯଜ୍ଞ ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ ଲାଗି ରହିଥିଲା। ଶନିବାର ୪୦ କ୍ଵିଣ୍ଟାଲ ଚାଉଳର ପ୍ରସାଦ ବଣ୍ଟନ ହୋଇଥିବାବେଳେ ରବିବାର ୫୦ କ୍ଵିଣ୍ଟାଲ ଚାଉଳର ପ୍ରସାଦ ବଣ୍ଟନ କରାଯାଇଥିଲା। ଘୁମୁସର ଇତିହାସରେ ପ୍ରଥମଥର ଭଂଜନଗର ଠାରେ ୨୧ କୁଣ୍ଡୀୟ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ସୃଷ୍ଟି କରିଥିଲା । ମହାଯଜ୍ଞକୁ ରାଜ୍ୟ ଓ କେନ୍ଦ୍ରର ବହୁ ବିଧାୟକ, ମନ୍ତ୍ରୀ, ସାଂସଦ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସମେତ ସର୍ବସାଧାରଣଙ୍କୁ ନିମନ୍ତ୍ରିତ କରାଯାଇଛି। ଗତ ୩ ମାସ ଧରି ମହାଯଜ୍ଞ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିଲା। ନିଜେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମହାଯଜ୍ଞ ପରିଚାଳନା କମିଟି ସଭାପତି ଭାବେ ଗୁରୁ ଦାୟିତ୍ବ ନିର୍ବାହ କରିଥିବାବଳେ ୫ ଶହରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ଯଜ୍ଞ ପରିଚାଳନା ଦାୟିତ୍ବରେ ରହିଛନ୍ତି। ଏହି ଅବସରରେ ମୀନା ବଜାରରେର ରାମ ଦୋଳି ଠାରୁ ଆରମ୍ଭ କରି ପିଲାଙ୍କ ମଜାମଜିଲିସ୍, ବିଭିନ୍ନ ପସରା ଓ ଖାଦ୍ୟ ସମାଗ୍ରୀ ମହାଯଜ୍ଞର ବୈଶିଷ୍ଟ୍ୟକୁ ଅଧିକ ଆକର୍ଷଣୀୟ କରିଛି। ମହାଯଜ୍ଞ ଓ ମୀନା ବଜାରରେ ସନ୍ଧ୍ୟା ପରେ ଦର୍ଶକଙ୍କ ନାହିଁ ନ ଥ‌ିବା ଭିଡ ଲାଗି ରହୁଛି।

ଆଜି ମଧ୍ୟ ସୂର୍ଯ୍ୟପୂଜା, ଶାଲ୍ୟ ପୂଜା ଓ ସମସ୍ତ ଦେବା ଦେବୀଙ୍କୁ ଆବାହାନ କରାଯାଇଥିଲା । ପୁରୀ ମଣିରାମ ମଠର ମହନ୍ତ ଅଭିରାମ ଦାସ ମହାରାଜଙ୍କ ପୌରୋହିତ୍ୟରେ ପଣ୍ଡିତ ଶଶୀକାନ୍ତ ଦାସ ଶ୍ରୀ ବାସୁଦେବଙ୍କ ନାମରେ ସକାଳୁ ଘୃତଯଜ୍ଞ ଆରମ୍ଭ କରିଥିଲେ। ପ୍ରତ୍ୟେକ ଯଜ୍ଞ କୁଣ୍ଡରେ ରେ ୧ ହଜାର ଘୃତାହୁତି ଅର୍ଥାତ ୨୧ ଯଜ୍ଞକୁଣ୍ଡରେ ୨୧ ହଜାର ଘୃତାହୁତି ଦିଆଯାଇଥିଲା । ଦିନ ତମାମ ଯଜ୍ଞର ସମସ୍ତ ବିଧିବିଧାନ ପୂଜାପାଠ ଆରମ୍ଭ ହୋଇ ରାତି ୭ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ବିଭିନ୍ନ ସ୍ଥାନରୁ ଆସିଥ‌ିବା ବିଦ୍ବାନ ପଣ୍ଡିତଙ୍କ ଦ୍ବାରା ଜଗନ୍ନାଥଙ୍କ ପଞ୍ଚରାତ୍ର କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଥିଲା। ସନ୍ଧ୍ୟା ପରେ ସତ୍ୟାନନ୍ଦ ଦାସ ଜୀ ମହାରାଜ ଶ୍ରୀ ଜଗନ୍ନାଥଙ୍କ ମହାତତ୍ତ୍ୱ ଉପରେ ପ୍ରବଚନ ଦେଇଥିଲେ। ଅଭିରାମ ଦାସ ଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ପୁରୀ, ବିରଜା କ୍ଷେତ୍ର ଓ ଘୁମୁସର ଅଂଚଳର ବହୁ ବିଦ୍ବାନ ପଣ୍ଡିତଙ୍କ ଦ୍ବାରା ମହାଯଜ୍ଞର ଘୃତାହୁତି କାର୍ଯ୍ୟକ୍ରମ ଚାଲୁ ରହିଛି। ଓଁ ବାସୁ ଦେବାୟ ନମଃ ମନ୍ତ୍ରରେ ପ୍ରତ୍ୟେକ ଯଜ୍ଞକୁଣ୍ଡରେ ୧ ହଜାର ଲେଖାଏଁ ଓ ଅର୍ଥାତ ୨୧ ଯଜ୍ଞ କୁଣ୍ଡ ମୁଣ୍ଡରେ ୨୧ ହଜାର ମନ୍ତ୍ର ପାଠ କରାଯାଇଥିବାରୁ ଯଜ୍ଞସ୍ଥଳରେ ଆଧ୍ୟାତ୍ମିକ ପରିବେ ବେଶ ସୃଷ୍ଟି ହୋଇଛି । ରାତିରେ ପ୍ରବଚନ ଶୁଣିବା ପାଇଁ ଭକ୍ତଙ୍କ ଭିଡ ଲାଗିଛି। ରବିବାର ରାତିରେ ଯଜ୍ଞସ୍ଥଳରେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଷମକଟକ ବିଧାୟକ ନୀଳମାଧବ ହିକଟା, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *