ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ: ମୌଳିକ କର୍ତ୍ତବ୍ୟ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଆଜି ସମ୍ବିଧାନ ଦିବସ ଅବସରରେ ସ୍ଥାନୀୟ ଏଜି ଛକଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ‌ଦେଇ ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ସବୁ ନାଗରିକ ନିଜ ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ହେଉଛି ସ୍ୱାଧୀନ ଭାରତର ପୁଣ୍ୟ ଗ୍ରନ୍ଥ। ଦେଶର ମାର୍ଗ ଦର୍ଶକ। ଦେଶର ସବୁ ଆଇନ ଓ ବିଧି ବ୍ୟବସ୍ଥାର ମୁଖ୍ୟସ୍ରୋତ। ସମ୍ବିଧାନରେ ଜାତି-ଧର୍ମ, ଧନୀ- ଗରିବ, ପୁରୁଷ- ନାରୀ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଓ ଅଧିକାର ଦିଆଯାଇଛି। ସମ୍ବିଧାନ ଦେଶର ଏକତା ଓ ଅଖଣ୍ଡତାର ମୂଳ ସ୍ରୋତ। ସେଥିପାଇଁ ସମସ୍ତଙ୍କୁ ସମ୍ବିଧାନରେ ଥିବା ମୌଳିକ କର୍ତ୍ତବ୍ୟଗୁଡ଼ିକୁ ପାଳନ କରିବା ଆବଶ୍ୟକ। ଦେଶର ସାର୍ବଭୌମତ୍ୱ, ଏକତା ଓ ସଂହତି ପ୍ରତି ମୁହୂର୍ତ୍ତରେ ସଚେତନ ରହିବା ଜରୁରି। ଆମର ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ମଧ୍ୟ ସମ୍ମାନ ପ୍ରଦର୍ଶନ ସହ ଦେଶର ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ଦାୟିତ୍ବବାନ ହୋଇ କାମ କରିବା ଆବଶ୍ୟକ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସମ୍ବିଧାନ ସଭାର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ, ସମ୍ବିଧାନ ଚିଠା ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷ ବାବା ସାହେବ ଆମ୍ବେଦକର ଓ କମିଟିର ସମସ୍ତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସମ୍ବିଧାନର ‘ମୁଖବନ୍ଧ’କୁ ପାଠ କରାଇଲେ ମୁଖ୍ୟମନ୍ତ୍ରୀ ‘ଆମ ସମ୍ବିଧାନ ଆମ ସ୍ବାଭିମାନ’ ପଦଯାତ୍ରାରେ ସାମିଲ ହେଲେ ହଜାରରୁ ଅଧିକଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବିଧାନର ମୁଖବନ୍ଧକୁ ପାଠ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏଜି ଛକଠାରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ହଜାରରୁ ଅଧିକ ଲୋକଙ୍କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ‘ଆମ ସମ୍ବିଧାନ ଆମ ସ୍ବାଭିମାନ’ ଧ୍ୱନି ଦେଇ ଲୋକମାନେ ଉତ୍ସାହର ସହ ପଦଯାତ୍ରାରେ ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମ‌େନ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ, କ୍ରୀଡ଼ାବିତ, ଛାତ୍ରଛାତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ପଥ ପ୍ରାନ୍ତ ନାଟକ ଓ ଅନ୍ୟାନ୍ୟ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରିଥିଲେ ।

Leave a Reply

Your email address will not be published. Required fields are marked *