ସାମାଜିକ ଏବଂ ମାନବ ବିଜ୍ଞାନରେ ଆଇସିଏସଏସଆର’ର ରିସର୍ଚ୍ଚ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଶୁଭାରମ୍ଭ

ନୂଆଦିଲ୍ଲୀ : ଦୃଢ଼ ସାମାଜିକ ବିଜ୍ଞାନ ଗବେଷଣା ଭାରତୀୟତାର ସଭ୍ୟତାକୁ ସୁଦୃଢ଼ କରିବା ସହ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ସାମାଜିକ ଓ ମାନବ ବିଜ୍ଞାନରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର) ଗବେଷଣା ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ହେଉଛି ଏକ ଜୀବନ୍ତ ପ୍ରାଚୀନ ସଭ୍ୟତା । ଆମ ରାଷ୍ଟ୍ର ଭାରତ ନିଜର ମୌଳିକ ଚରିତ୍ରକୁ ବଜାୟ ରଖି ଆଧୁନିକତାକୁ ଗ୍ରହଣ କରିଛି । ସଭ୍ୟତା ଓ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାରେ ଦୃଢ଼ ସାମାଜିକ ବିଜ୍ଞାନ ଗବେଷଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଆଜିର ପଦକ୍ଷେପ ଭାରତୀୟତାର ସଭ୍ୟତା ମୂଲ୍ୟବୋଧକୁ ସୁଦୃଢ଼ କରିବ ଏବଂ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ । ଏହି ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ସାମାଜିକ ବିଜ୍ଞାନର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବା ସହ ସାମାଜିକ ପ୍ରଗତି ହାସଲ, ବୈଷୟିକ ବ୍ୟବଧାନକୁ ଦୂର କରିବ । ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ବିକଶିତ ଭାରତର ଜାତୀୟ ଉଦ୍ଦେଶ୍ୟ ସହ ଯୋଡ଼ି ହୋଇଥିବା ସାମାଜିକ ବିଜ୍ଞାନ ଗବେଷଣାକୁ ସୁଦୃଢ଼ କରିବ । ଏଆଇ ଭଳି ଟେକ୍ନୋଲୋଜି ଯୋଗୁଁ ଆଜି ଚାକିରି ଶୈଳୀରେ ନିରନ୍ତର ପରିବର୍ତ୍ତନ ହେଉଛି । ଏହି ସମୟରେ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଗବେଷଣା ନିଶ୍ଚୟ ସାମାଜିକ ବିକାଶରେ ସହାୟକ ହେବ । ଜାତୀୟ ଶିକ୍ଷା ନୀତିରେ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଗୁଣାତ୍ମକ ସାମାଜିକ ବିଜ୍ଞାନ ଗବେଷଣାର ଆବଶ୍ୟକତାକୁ ସ୍ୱୀକୃତି ଦିଆଯାଇଛି । ଆଇସିଏସଏସଆର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ବ୍ୟକ୍ତିଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଅନେକ ଦକ୍ଷ ଗବେଷକଙ୍କୁ ସୃଷ୍ଟି କରିବ । ଏହି ଗବେଷକମାନେ ପଲିସି ରିସର୍ଚ୍ଚ, ଡାଟା ଆନାଲିସିସ ଓ ସାମାଜିକ କ୍ଷେତ୍ରରେ ଉଦ୍ଭାବନ ଭଳି ଦିଗରେ ବିଶେଷ ଯୋଗଦାନ କରିପାରିବେ । ଯୁବ ସାମାଜିକ ବୈଜ୍ଞାନିକ ଏବଂ ମାନବବାଦୀଙ୍କୁ ନିଯୁକ୍ତିର ପରିବର୍ତ୍ତିତ ଗତିଶୀଳତା ପାଇଁ ପ୍ରସ୍ତୁତ କରିବା ଏବଂ ଜାତୀୟ ବିକାଶ ଦିଗରେ ସେମାନଙ୍କର ଅବଦାନ ସୁନିଶ୍ଚିତ କରିବା ପାଇଁ ଶିକ୍ଷାକୁ ଗବେଷଣା ଦକ୍ଷତା ସହିତ ମିଳାଇବା ପାଇଁ ଆଇସିଏସଏସଆରରେ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଏକ ମୌଳିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ପାରମ୍ପରିକ ଜ୍ଞାନ ଓ କୌଶଳ ସହିତ ଆଧୁନିକ ଶିକ୍ଷା ଓ କୌଶଳର ସମନ୍ୱୟ ହେଉଛି ଇଣ୍ଟର୍ଣ୍ଣସିପ୍ ଏହି କାର୍ଯ୍ୟକ୍ରମର ବିଶେଷତା ।ଏହି ଅବସରରେ ଶ୍ରୀ ପ୍ରଧାନ ଆଇସିଏସଏସଆର ରିସର୍ଚ୍ଚ ଇଣ୍ଟର୍ଣ୍ଣମାନଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ସହ ୟୁଜି, ପିଜି ଏବଂ ଡକ୍ଟରେଟ୍ ଛାତ୍ରଛାତ୍ରୀମାନଙ୍କୁ “ଭାରତରେ ଏକକାଳୀନ ନିର୍ବାଚନ: ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ” ଶୀର୍ଷକ ଜାତୀୟ ଯୁକ୍ତି ପ୍ରବନ୍ଧ ଲେଖନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *