ପେଟ୍ରୋଲ ପମ୍ପ୍‌ରେ ନିୟୋଜିତ ହେବେ କଏଦୀ: ୧୫ ପମ୍ପ୍‌ରେ କାମ କରିବେ ୧୦୦

ଭୁବନେଶ୍ବର: କଏଦୀମାନେ ପେଟ୍ରୋଲ୍‌ ପମ୍ପରେ ନିୟୋଜିତ ‌ହେବେ। କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଆସାମୀ ଭାବେ କାରାବାସ ଭୋଗୁଥିବା କଏଦୀମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯେଉଁ କଏଦୀମାନଙ୍କ ଆଚରଣ ଓ ବ୍ୟବହାରରେ ବ୍ୟାପକ ସୁଧାର ଆସିଥିବା ପରିଲକ୍ଷିତ ହୋଇଥିବ, ସେମାନଙ୍କୁ ହିଁ ଏହି ଯୋଜନାରେ ସୁଯୋଗ ମିଳିବ। ସେମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଜେଲ୍‌ ବିଭାଗ ଏକ ବଡ଼ ପଦକ୍ଷେପ ହାତକୁ ନେବାକୁ ଯାଉଛି। ଜେଲ୍‌ ପକ୍ଷରୁ ନିଆଯାଉଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଏହା ଓଡ଼ିଶା ପାଇଁ ଏକ ନୂଆ ପଦକ୍ଷେପ ହେବ। ପୂର୍ବରୁ ଜୟପୁର, ଲୁଧିଆନା, କୁରୁକ୍ଷେତ୍ର ଓ ଚେନ୍ନାଇ ଭଳି ସହରରେ ଏହି ଯୋଜନା ସଫଳ ହୋଇଥିବାରୁ ଓଡ଼ିଶା ଜେଲ୍‌ ବିଭାଗ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ ଜେଲ୍‌ ବିଭାଗ ବା ଗୃହ ବିଭାଗ ଜମି ଯୋଗାଇଦେବ ଏବଂ ବିଭିନ୍ନ ରାଷ୍ଟ୍ରାୟତ୍ତ ତେଲ କମ୍ପାନି ପେଟ୍ରୋଲ୍‌ ପମ୍ପ ନିର୍ମାଣ କରିବେ। ଅଏଲ୍‌ କମ୍ପାନି ଓ ଜେଲ୍‌ ବିଭାଗ ପମ୍ପ୍‌ର ପରିଚାଳନା ଦାୟିତ୍ବ ବହନ କରିବେ ଏବଂ କଏଦୀମାନେ ଗାଡ଼ିରେ ପେଟ୍ରୋଲ୍‌ ଭରିବା ସହ ଅନ୍ୟାନ୍ୟ କାମ କରିବେ। ପ୍ରାଥମିକ ପର୍ଯ୍ୟାୟରେ ୧୫ଟି ପମ୍ପ୍‌ରେ ୧୦୦ କଏଦୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ଥିର ହୋଇଛି। ୧୫ ପମ୍ପ୍‌ରେ କାମ କରିବେ ୧୦୦ ଜମି ଦେବ ଜେଲ୍‌ ବିଭାଗ, ପମ୍ପ୍‌ କରିବେ ରାଷ୍ଟ୍ରାୟତ୍ତ ତେଲ କମ୍ପାନିଜେଲ୍‌ ନିର୍ଦେଶକ ଅରୁଣ କୁମାର ରାୟଙ୍କ ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ଯୋଜନା ଆଧାରରେ ରାଜ୍ୟ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। ଏହା ଦ୍ବାରା କଏଦୀମାନେ ସ୍ବାବଲମ୍ବୀ ହେବା ସହ ଜେଲ୍‌ ବିଭାଗ ଅଧୀନରେ ପଡ଼ିଆ ପଡ଼ିଥିବା ଜାଗା ବ୍ୟବହାର ଉପଯୋଗୀ ହୋଇପାରିବ। ରାଷ୍ଟ୍ରାୟତ୍ତ ତେଲ କମ୍ପାନିମାନେ ଏହି ଜାଗାକୁ ଲିଜ୍‌ ସୂତ୍ରରେ ନେଇ ପେଟ୍ରୋଲ୍‌ ଟାଙ୍କି ତିଆରି କରିବେ। ଫଳରେ ଜେଲ୍‌ ବିଭାଗ ଭଲ ରାଜସ୍ବ ପାଇବ। ଖୁବ୍‌ ଶୀଘ୍ର ତେଲ କମ୍ପାନିମାନଙ୍କ ସହ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଚୁକ୍ତିପତ୍ର ସ୍ବାକ୍ଷର କରିବା ସୂଚନା ମିଳିଛି। ରାଜ୍ୟର ଯେଉଁସବୁ ଜେଲ୍‌ର ଜମି ମୁଖ୍ୟରାସ୍ତା ଉପରେ ରହିଛି ବା ସହରାଞ୍ଚଳ ଭିତରେ ଅଛି, ସେସବୁ ଜମିକୁ ଚିହ୍ନଟ କରାଯାଇଛି ।

ସେହିଭଳି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଉପରେ ଥିବା ଜେଲ୍‌ ବିଭାଗ ଜମିକୁ ଅଗ୍ରାଧିକାର ଭିତ୍ତିରେ ବଛାଯାଇଛି। ସମ୍ବଲପୁର, କୋରାପୁଟ, ଅନୁଗୁଳ ଓ ବ୍ରହ୍ମପୁର ଭଳି ସର୍କଲ୍‌ ଜେଲ୍‌ର ଜମି ଚିହ୍ନଟ ହୋଇସାରିଛି। ଭବାନୀପାଟଣା, ବଲାଙ୍ଗୀର, ଜଗତସିଂହପୁର, ଢେଙ୍କାନାଳ ଓ ମାଲକାନଗିରି ଭଳି ଜିଲ୍ଲା ଜେଲ୍‌ର ଜମି ମଧ୍ୟ ଚିହ୍ନଟ କରାଯାଇଛି। ଏହାବାଦ୍‌ ଚିହ୍ନଟ ନବରଙ୍ଗପୁର, ହିନ୍ଦୋଳ, ମଦନପୁର-ରାମପୁର, ସୋନପୁର ଭଳି ଉପକାରାଗାର ଓ ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର ଜମିକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *