କ୍ରୀଡ଼ା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଗୁରୁବାର ସନ୍ଧ୍ୟାରେ ‘ଡାଲମିଆଁ ଭାରତ ଗୋପିଚାନ୍ଦ ବ୍ୟାଡମିଣ୍ଟନ ହାଇ ପର୍ଫର୍ମାନ୍ସ ସେଣ୍ଟର’ର ଶୁଭ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କ୍ରୀଡ଼ା ପରିସରକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆଜିର ଦିନଟି ଓଡ଼ିଶାର କ୍ରୀଡ଼ାଜଗତ ପାଇଁ ଏକ ଐତିହାସିକ ଦିନ। ଆଜି ଉଦ୍‌ଘାଟିତ ହୋଇଥିବା ଏହି ସେଣ୍ଟର ଓଡ଼ିଶା ସମେତ ସମଗ୍ର ଦେଶ ପାଇଁ ବ୍ୟାଡମିଣ୍ଟନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ। ଅନେକ ଯୁବ ପ୍ରତିଭାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ। ଏହାର ଭିତ୍ତିଭୂମି, ଉତ୍ତମ ପ୍ରଶିକ୍ଷଣ ବ୍ୟବସ୍ଥା କ୍ରୀଡାବିତଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକୀୟ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ଯରେ ବ୍ୟାଡମିଣ୍ଟନ କ୍ରୀଡା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ଅନେକ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ଯରେ ଯୁବ କ୍ରୀଡାବିତଙ୍କୁ ବ୍ୟାଡମିଣ୍ଟନ ଖେଳରେ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ସେମାନଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ନୂଆ ସରକାର ପ୍ରତିଶ୍ରୁତିବଦ୍ଧ। ମୋର ବିଶ୍ବାସ ଆମ ପିଲାମାନେ ସେମାନଙ୍କ କ୍ରୀଡା ପ୍ରତିଭା ଦ୍ଵାରା ଜାତୀୟ ଏବଂ ଆନ୍ତର୍ଜ୍ଯତୀୟ ସ୍ତରରେ ସଫଳତା ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ। ଆଗାମୀ ଦିନରେ ବ୍ୟାଡମିଣ୍ଟନ କ୍ରୀଡା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ସ୍ଵତନ୍ତ୍ର ସ୍ଥାନ ପାଇବ, ସେଥିପାଇଁ ଆମେ ପ୍ରତିବଦ୍ଧ ।

ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର କେବଳ ଭାରତବର୍ଷ ପାଇଁ ନୁହେଁ, ବିଶ୍ବ କ୍ରୀଡା ଜଗତ ପାଇଁ ଏକ ଉଲ୍ଲେଖନୀୟ ମାଇଲ ଷ୍ଟୋନ। ଏହି ସେଣ୍ଟର ଭାରତରେ ବ୍ୟାଡମିଣ୍ଟନ ଖେଳକୁ ନୂଆ ଶିଖରକୁ ନେବ।-ହିମନ୍ତ ବିଶ୍ବଶର୍ମା, ଆସାମ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ତଥା ଭାରତ ବ୍ୟାଡମିଣ୍ଟନ ସଂଘର ସଭାପତି ହିମନ୍ତ ବିଶ୍ବଶର୍ମା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଏକାମ୍ର ବିଧାୟକ ବାବୁ ସିଂହ, କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା, ଡାଲମିଆଁ ଭାରତର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନୀତ ଯଦୁ ଡାଲମିଆ, ଭାରତ-ଡାଲମିଆ ଗ୍ରୁପର ଏମ୍‌ଡି ଗୌତମ ଡାଲମିଆ, ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲ, ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ଶ୍ରୀ ପୁଲେଲା ଗୋପୀଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ୭୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ଇଣ୍ଡୋର ହାଇ ପରଫରମାନ୍‌ସ ସେଣ୍ଟରରେ ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହିତ ୮ଟି ଶୀତତାପ ନିୟନ୍ତ୍ରିତ ବ୍ୟାଡମିଣ୍ଟନ କୋର୍ଟ ରହିଛି। ଏଥିରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁବିଧା କରାଯାଇଛି। ଏଥିସହିତ ଏହି ସେଣ୍ଟରରେ ୩୬ ଜଣ ଖେଳାଳି ରହିଲା ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ମଧ୍ୟ ବିକଶିତ କରାଯାଇଛି। ୨୦୦ ସିଟ୍‌ ବିଶିଷ୍ଟ ଏକ ଆମ୍ଫିଥିଏଟର ସହିତ ଏହି ସେଣ୍ଟରଟିକୁ ବ୍ୟାଡମିଣ୍ଟନ ସଟଲକକ୍ ସଦୃଶ୍ୟ ନିର୍ମାଣ କରାଯାଇଛି ।

Leave a Reply

Your email address will not be published. Required fields are marked *