ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା: ୪ହଜାର କୋଟି ନିବେଶ, ୨ ହଜାର ନିଯୁକ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସିମେଣ୍ଟ କାରଖାନା ପାଇଁ ୪ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ପ୍ରାୟ ୨ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ। ସେହିପରି ରେଳପଥରେ ଏହି ଜିଲ୍ଲାକୁ ସଂଯୋଗ କରାଯିବ। ଏଥିପାଇଁ ଜୟପୁର-ମାଲକାନଗିରି ଏବଂ ମାଲକାନଗିରି-ପାଣ୍ଡାରଙ୍ଗାପୁରମ୍ ଭାୟା-ଭଦ୍ରାଚଲମ୍ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶିଳ୍ପ ଭିତ୍ତିଭୂମିର ବିକାଶ ହେଲେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ମାଲକାନଗିରି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାମର ସ୍ଥିତି ସଂପର୍କରେ ପଚାରିଥିଲେ।ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ରୁପା ରୋଶନ ସାହୁ, ଦକ୍ଷିଣ-ପଞ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ। ରେଳପଥ, ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ସମେତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହିତ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଜୀବିକା ମିସନ୍‌ ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ। ଏଥିପାଇଁ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ୧୫ଦିନରେ ଥରେ ସମୀକ୍ଷା କରିବାକୁ କହିଥିଲେ। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରସର ହେବାକୁ ହେଲେ ଗମନାଗମନ ଭିତ୍ତିଭୂମି ଅପରିହାର୍ଯ୍ୟ। ତେଣୁ ରାଜ୍ୟ ସରକାର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ମୋଟୁ-ତିରିଂ ରାସ୍ତାର ପରିକଳ୍ପନା କରିଛନ୍ତି। ଚିତ୍ରକୋଣ୍ଡା ବ୍ଲକ୍‌ରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଯୋଗାଯୋଗର ସୁବିଧା ହୋଇପାରିଛି। ଏହି ଅଞ୍ଚଳରେ ଆହୁରି ଅନେକ ପୋଲ ନିର୍ମାଣ କରି ଯାତାୟାତ ବ୍ୟବସ୍ଥାରେ ସୁଧାର ଅଣାଯିବ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରାଯାଉଛି। ଆଦିମ ଜନଜାତି ବଣ୍ଡା ଓ ଦିଦାୟୀ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସଂପୃକ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷାର ମୂଳଦୁଆ ସୁଦୃଢ଼ କରିବା ପାଇଁ ପ୍ରତ୍ୟକ ବିଦ୍ୟାଳୟରେ ଅତି କମରେ ଦୁଇ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ତିନି ବର୍ଷ ମଧ୍ୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଥିଲେ। ପାଙ୍ଗାମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୯୬ରେ ୫ଟି ହାଇଲେଭଲ୍‌ ପୋଲ ନିମନ୍ତେ କେନ୍ଦ୍ର ସରକାର ୧୯. ୭୮ କୋଟି ମଞ୍ଜୁର କରିଛନ୍ତି। ଅଁଳାଯୋଡ଼ି, ତମସା, ଏମ୍‌ଭି-୧୯ ଓ ମହାରାଜପଲ୍ଲୀଠାରେ ୪ଟି ହାଇଲେଭଲ୍‌ ବ୍ରିଜ୍ ନିମନ୍ତେ କେନ୍ଦ୍ର ସରକାର ୧୨.୬୨ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *