ଦିବ୍ୟାଙ୍ଗ ଚାହାନ୍ତି ସମ୍ମାନର ସହିତ ବଞ୍ଚିବାର ଅଧିକାର: ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଦିବ୍ୟାଙ୍ଗମାନେ କାହାରି ଦୟାର ପାତ୍ର ହୋଇ ରହିବାକୁ ଚାହାନ୍ତି ନାହିଁ। ସେମା‌ନେ ଚାହାନ୍ତି ସମ୍ମାନର ସହିତ ବଞ୍ଚିବାର ଅଧିକାର। ସେମାନଙ୍କୁ ଟିକିଏ ସୁବିଧା ସୁଯୋଗ ମିଳିଲେ ସେମାନେ ମଧ୍ୟ ଆଗକୁ ବଢ଼ିପାରିବେ। ସମ୍ମାନ ଓ ସ୍ବାଭିମାନର ସହିତ ବଞ୍ଚିପାରି‌ବେ। ଆମ ସରକାର ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି। ସାଧାରଣ ବ୍ୟକ୍ତିଙ୍କଠାରୁ ବି ସେମାନେ ଯେମିତି ଭଲ ପ୍ରଦର୍ଶନ କରିପାରିବେ, ସେ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ପଶ୍ଚିମ ଓଡ଼ିଶାର ପ୍ରମୋଦ ଭଗତଙ୍କଠାରୁ ଆରମ୍ଭ କରି ଅନେକ ଦିବ୍ୟାଙ୍ଗ ବିଭିନ୍ନ ଖେଳକୁଦରେ ପଦକ ଆଣି ଆମ ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ବଳରେ ସେମାନେ ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି। ଜଣେ ଦିବ୍ୟାଙ୍ଗ ଆମେରିକାର ଏମ୍‌ଆଇଟି ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ନିଜସ୍ବ ଉଦ୍ୟୋଗରେ ଅନେକ ଦିବ୍ୟାଙ୍ଗଙ୍କୁ ରୋଜଗାର ‌ଯୋଗାଇ ପାରିଛନ୍ତି ।

ଆଜି ୫୦୦ ଜଣ ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଜୀବନଜୀବିକା ସୁଗମ କରିବା ପାଇଁ ଇ-ରିକ୍ସା ପ୍ରଦାନ କରାଯାଇଛି ‌ବୋଲି ରବିବାର ସମ୍ବଲପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ଏମ୍‌ସିଏଲ୍‌ ସହାୟତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦିବ୍ୟାଙ୍ଗମାନଙ୍କୁ ଜୀବିକାର୍ଜନ ପାଇଁ ଇ-ରିକ୍ସା ବଣ୍ଟନ କରାଯାଇଥିବାବେଳେ ବିଭିନ୍ନପ୍ରକାର ସହାୟକ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା। ୫୦୦ ଜଣଙ୍କୁ ବଣ୍ଟାଗଲା ଇ-ରିକ୍ସାସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଉତ୍ତରାଞ୍ଚଳର ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେ ମଞ୍ଚାସୀନ ଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସ୍ବାଗତ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆଜି ବୁର୍ଲା ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ସମାରୋହ ଓ ସିନ୍ଦୂରପଙ୍କ ଜନାର୍ଦ୍ଦନ ପୂଜାରୀ ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ। ଉଭୟ ବୁର୍ଲା ଓ ସିନ୍ଦୂରପଙ୍କ କାର୍ଯ୍ୟକ୍ରମ‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *