
ଭୁବନେଶ୍ବର : ଭାଜପା ସରକାରର ଛାମୁଆ ନେତାମାନେ ନିର୍ବାଚନ ପୂର୍ବରୁ ଖୋଲା ମଞ୍ଚରେ ୩୦୦ ୟୁନିଟ୍ ବିଦ୍ୟୁତ୍ ବିନା ଶୁଳ୍କରେ ଯୋଗାଇ ଦେବାର ଅଭୟ ପ୍ରତିଶ୍ରୁତି ଦେଇ ସରକାରକୁ ଆସିବାର ପ୍ରାୟ ୬ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଓଡ଼ିଶାର ଅଗଣିତ ଉପଭୋକ୍ତା ଏଯାଏଁ ରାଜ୍ୟ ସରକାରଙ୍କର ୩୦୦ ୟୁନିଟର ମାଗଣା ବିଜୁଳିକୁ ଚାତକ ନୟନରେ ଅନାଇ ବସିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ସରକାର ପ୍ରତିଶ୍ରୁତି ମୁତାବକ ୩୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଯୋଗାଇ ଦେବା ପରିବର୍ତ୍ତେ ଗ୍ରିଡ଼କୋ ଆଢ଼ୁଆଳରେ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି କରି ବୋଝ ଉପରେ ନଳିତା ବିଡା ଲଦିଦେବା ନିଶ୍ଚୟ ନିରୀହ ଓଡ଼ିଶାବାସୀଙ୍କ ପ୍ରତି ଏକ ଚରମ ଚଞ୍ଚକତା ଭଳି ମନେ ହୁଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ୍ ଆଦ୍ମୀ ପାର୍ଟି ନେତୃତ୍ଵାଧୀନ ଦିଲ୍ଲୀ ସରକାର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ନ ଥାଇ ମଧ୍ୟ ଓଡ଼ିଶା ଭଳି ବିଦ୍ୟୁତ୍ ବଳକା ରଜ୍ୟଠୁ ବିଦ୍ୟୁତ୍ କ୍ରୟ କରି ଦୀର୍ଘ ୧୦ ବର୍ଷ ଧରି ଉପଭୋକ୍ତାଙ୍କୁ ବିନା ଦେୟରେ ୨୦୦ ୟୁନିଟ୍ ବିଜୁଳି ଓ ଅଧା ଦେୟରେ ୨୦୦ ରୁ ୪୦୦ ୟୁନିଟ୍ ବିଜୁଳିର ସେବା ଯୋଗାଇ ଆସୁଛି। ବାହାର ରାଜ୍ୟକୁ ବିଦ୍ୟୁତ୍ ବିକ୍ରି କରି ମୁନାଫା କମାଉଥିବା ଓଡ଼ିଶା ସରକାର ବିଜୁଳି ବିତରଣ ଖର୍ଚ୍ଚର ଆବଶ୍ୟକତାକୁ ପ୍ରସଙ୍ଗ କରି ନିରୀହ ଜନତାଙ୍କ ଉପରେ ଶୁଳ୍କ ବୋଝର ଚାବୁକ୍ ମାଡ କରି ମୁନାଫାଖୋରୀ ବିତରଣ କମ୍ପାନୀଙ୍କର ହାତବାରିସୀ ସାଜିଥିବାର ଆଶଙ୍କା ସାଧାରଣ ଜନତାଙ୍କ ମନ ଭିତରେ ଉଙ୍କି ମାରୁଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗକୁ ଗ୍ରିଡକୋ ୟୁନିଟ୍ ପିଛା ପାଇକାରୀ ମୂଲ୍ୟ ୫୪ ପଇସା ବୃଦ୍ଧି କରିବା ପାଇଁ ଦାଖଲ କରିଥିବା ଆବେଦନର ସମ୍ବାଦଟି ଅସମ୍ଭବ ଦରଦାମ ବୃଦ୍ଧିରେ ହନ୍ତସନ୍ତ ହେଉଥିବା ନିରୀହ ଓଡ଼ିଶାବାସୀଙ୍କୁ ଦାରୁଣ ଆଶଙ୍କା ଭିତରକୁ ଠେଲିଦେଇଛି।
ସୂଚନାଯୋଗ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ୟୁନିଟ୍ ପିଛା ପାଇକାରୀ ମୂଲ୍ୟ ଏକ ପଇସା କମାଇ ୩ଟଙ୍କା ୨୮ ପଇସା ନିର୍ଦ୍ଧାରଣ କରିଥିଲେ ଯାହା ଜନତାଙ୍କ ବିଦ୍ୟୁତ୍ ଶୁଳ୍କ ବୋଝକୁ ପ୍ରଶମିତ କରିବାରେ ବିଫଳ ହୋଇଥିଲା। ଯଦି ସରକାର ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୩ଟଙ୍କା ୯୫ ପଇସା ଅବା ତଧୁର୍ଦ୍ଧ୍ୱ ଦରରେ ମୂଲ୍ୟ ପଇଠ କରିବାକୁ ପଡ଼ିବ। ଖାଲି ଏତିକିରେ ଜନତାଙ୍କ ଦୁଃଖ ସରୁନି, ଆପଣମାନେ ଜାଣିଥିବେ କିଛି ଦିନ ଧରି ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର ଜୋର୍ ଜବରଦସ୍ତ ସ୍ମାର୍ଟ ମିଟର ଲଗେଇ ଉପଭୋକ୍ତାଙ୍କ ଠାରୁ ଆର୍ଥିକ ଶୋଷଣ କରିବାର କ୍ରୁର ଓ ଅନୈତିକ ଚକ୍ରାନ୍ତକୁ ସାରା ଓଡ଼ିଶା ବାସୀ ପ୍ରବଳ ବିରୋଧ କରି ଆସୁଛନ୍ତି। ଏଣୁ ଆମ୍ ଆଦ୍ମୀ ପାର୍ଟି ତରଫରୁ ସରକାର ଓ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗକୁ ଶୁଳ୍କ ବୃଦ୍ଧି କରିବାର ଷଡ଼ଯନ୍ତ୍ରରୁ ଓହରି ଯାଇ ପ୍ରତିଶ୍ରୁତି ମୁତାବକ ୩୦୦ ୟୁନିଟ୍ ବିଜୁଳି ବିନା ଦେୟରେ ଯୋଗାଇ ଦେବାର ସୁବନ୍ଦୋବସ୍ତ କରିବାକୁ ଦାବି ଜଣାଉଛୁ। ଯଦି ଆମ ଯଥାଯଥ ଦାବିକୁ ସରକାର କର୍ଣ୍ଣପାତ ନ କରି ବିତରଣ କମ୍ପାନୀର ଇଙ୍ଗିତରେ ମହଙ୍ଗାମାଡ଼ରେ ପେଶୀ ହୋଇ ରହିଥିବା ନିରୀହ ଓଡ଼ିଶାବାସୀଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝ ଲଦି ଦେବାର କ୍ରୁର ପ୍ରୟାସ କରନ୍ତି ତେବେ ଆମ୍ ଆଦମୀ ପାର୍ଟି ଜନତାଙ୍କ ସ୍ୱାର୍ଥ ନିମିତ୍ତ ରାଜରାସ୍ତାରେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛି ।