ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ୨୦୨୫ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର:ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜି ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି l କ୍ୟାଲେଣ୍ଡରଗୁଡ଼ିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଉନ୍ମୋଚନ କରିଛନ୍ତି l ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି l ସେହିପରି ସାତ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି। ଇଂରାଜି ନୂଆ ବର୍ଷରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡ଼ିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ସକାଶେ ଉପଲବ୍ଧ ହେବ।ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏବଂ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *