ବ୍ଲକ୍ ଅଧ୍ୟକ୍ଷ ହୋଇଥିବା ସତ୍ତ୍ଵେ ବିଜେଡି ମୋତେ ଅଣଦେଖା କରୁଥିଲା: ନରୀସଭା ନାୟକ

ଭଞ୍ଜନଗର (ଓଡ଼ିଶା ଟୁଡେ): ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ । ୨୦୨୨ ମସିହା ମାର୍ଚ୍ଚ ମାସ ୨୨ ତାରିଖରେ ଭଞ୍ଜନଗର ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଦାୟିତ୍ଵ ଗ୍ରହଣ କରିବା ପରେ ବିଜେଡି ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିଲା । ନିଜେ ବ୍ଲକ୍ ର ଉନ୍ନତି ପାଇଁ କୌଣସି ନିଷ୍ପତ୍ତି ନେଇ ପାରୁନଥିଲେ । ବିଜେଡି ସମର୍ଥିତ ହୋଇ ଭଞ୍ଜନଗର ବ୍ଲକ ର ଅଧ୍ୟକ୍ଷ ହୋଇଥିବା ସତ୍ତ୍ୱେ ବିଜେଡି କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଦେଉନଥିଲା, ଦଳରେ ନିଜକୁ କୋଣଠେସା ମନେ କରୁଥିଲେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଞ୍ଜନଗର ଗସ୍ତରେ ଆସିଥିବା ବେଳେ ଶ୍ରୀ ନାୟକ ଫରେଷ୍ଟ ବଙ୍ଗଳାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରି ନିଜ ଅଭିପ୍ରାୟ ରଖିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ନରୀସଭା ଙ୍କ ପିଠି ଥପୁଡ଼ାଇଥିଲେ । ଅପରାହ୍ନରେ ବିଧିବଦ୍ଧ ଭାବେ ତିନି ସମିତି ସଭ୍ୟଙ୍କ ସହ ଫରେଷ୍ଟ ବଙ୍ଗଳାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଭଞ୍ଜନଗର ବିଧାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ଶ୍ରୀ ନରୀସଭା ନାୟକ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *