ଜିମ୍ବାୱେରେ ମୃତ୍ୟୁଦଣ୍ଡ ରଦ୍ଦ: ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ହାରାରେ: ଜିମ୍ବାୱେ ଆନୁଷ୍ଠାନିକ ଭାବେ ମୃତ୍ୟୁଦଣ୍ଡକୁ ରଦ୍ଦ କରିଦେଇଛି। ରାଷ୍ଟ୍ରପତି ଏମର୍ସନ୍ ମନ୍ନାଗୱା ଏହି ଆଇନରେ ଦସ୍ତଖତ କରି ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ଆଇନ ଲାଗୁହେବା ପରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ପ୍ରାୟ ୬୦ ଜଣଙ୍କର ମୃତ୍ୟୁଦଣ୍ଡକୁ ଏବେ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯିବ।୨୦୦୫ ମସିହାଠାରୁ ଦକ୍ଷିଣ ଆଫ୍ରିକା ଦେଶରେ ମୃତ୍ୟୁଦଣ୍ଡ ଉପରେ ଏକ ରୋକ ଜାରି ରହିଛି। ଯଦିଓ ହତ୍ୟା, ଦେଶଦ୍ରୋହ ଏବଂ ଆତଙ୍କବାଦ ଭଳି ଅପରାଧ ପାଇଁ କୋର୍ଟ ମୃତ୍ୟୁଦଣ୍ଡ ଜାରି ରଖିଛନ୍ତି।ସରକାରୀ ଗେଜେଟରେ ପ୍ରକାଶିତ ମୃତ୍ୟୁଦଣ୍ଡ ଅଧିନିୟମ ଅନୁଯାୟୀ ଦର୍ଶାଯାଇଛି ଯେ, କୌଣସି ଅପରାଧ ପାଇଁ କୋର୍ଟ ଆଉ ମୃତ୍ୟୁଦଣ୍ଡ ଦେଇ ପାରିବେ ନାହିଁ। ଯେକୌଣସି ବିଦ୍ୟମାନ ମୃତ୍ୟୁଦଣ୍ଡକୁ ଜେଲ ଦଣ୍ଡରେ ପରିଣତ କରିବାକୁ ପଡ଼ିବ।ତେବେ ଜରୁରୀକାଳୀନ ପରିସ୍ଥିତିରେ ମୃତ୍ୟୁଦଣ୍ଡର ନିଲମ୍ବନକୁ ହଟାଯାଇପାରିବ ବୋଲି ଏକ ବ୍ୟବସ୍ଥାରେ କୁହାଯାଇଛି। ଆମେନିଷ୍ଟ ଇଣ୍ଟରନ୍ୟାସନାଲ ଏକ ବିବୃତିରେ ଏହି ନୂତନ ପଦକ୍ଷେପକୁ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ସ୍ୱାଗତ କରି କହିଛି ଯେ, ୨୦୨୩ ଶେଷ ସୁଦ୍ଧା ଜିମ୍ବାୱେରେ ୫୯ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।ଏହା ସହିତ ଏହି ଅନ୍ତର୍ଜାତିକ ଅଧିକାର ଗୋଷ୍ଠୀ କହିଛି, ଆମେ ବିଲ୍କୁ ସଂଶୋଧନରେ ଅନ୍ତର୍ଭୁକ୍ତ ଧାରାକୁ ହଟାଇ ସଂପୂର୍ଣ୍ଣ ଭାବେ ମୃତ୍ୟୁଦଣ୍ଡକୁ ରଦ୍ଦ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ ।

ସ୍ଥାନୀୟ ଦି ହେରାଲ୍ଡ ଖବରକାଗଜ ଫେବୃଆରୀରେ ରିପୋର୍ଟ କରିଥିଲା ଯେ, ଜିମ୍ବାୱେରେ ୬୩ଜଣ ମୃତ୍ୟୁଦଣ୍ଡ ଭୋଗୁଥିବା ଅନ୍ତେବାସୀ ଅଛନ୍ତି,। ଏବେ ମୃତ୍ୟୁଦଣ୍ଡ ରଦ୍ଦ ହେବା ପରେ ଦଣ୍ଡବିଧାନ ପାଇଁ ସେମାନଙ୍କର ଶୁଣାଣି ପୁଣି କୋର୍ଟରେ ହେବ। ଆମେନିଷ୍ଟ ଇଣ୍ଟରନ୍ୟାସନାଲ କହିଛି ଯେ, ଉପ-ସାହାରା ଆଫ୍ରିକାର ୨୪ଟି ଦେଶ ସମସ୍ତ ଅପରାଧ ପାଇଁ ମୃତ୍ୟୁଦଣ୍ଡକୁ ରଦ୍ଦ କରିଦେଇଥିବାବେଳେ ଦୁଇଟି ଅତିରିକ୍ତ ଦେଶ କେବଳ ସାଧାରଣ ଅପରାଧ ପାଇଁ ଏହାକୁ ରଦ୍ଦ କରିଛନ୍ତି।୧୯୬୦ ଦଶକରେ ସ୍ବାଧୀନତା ପାଇଁ ଗରିଲା ଯୁଦ୍ଧ ସମୟରେ ଟ୍ରେନ୍ ଉଡାଇ ଦେଇଥିବାରୁ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ରାଷ୍ଟ୍ରଅପତି ମନ୍ନାଗୱା ମୃତ୍ୟୁଦଣ୍ଡର ବିରୋଧ କରୁଥିଲେ। ପରେ ସମସ୍ତ ଅପରାଧୀଙ୍କ ଦଣ୍ଡ କୋହଳ କରାଯାଇଥିଲା। ଆମେନିଷ୍ଟ ଇଣ୍ଟରନ୍ୟାସନାଲ ଅନୁଯାୟୀ, ୨୦୨୩ ମସିହାରେ ମୃତ୍ୟୁଦଣ୍ଡ ଦେଇଥିବା ୧୬ଟି ଦେଶ ମଧ୍ୟରେ ସୋମାଲିଆ ଏକମାତ୍ର ଦେଶ ଥିଲା ।

Leave a Reply

Your email address will not be published. Required fields are marked *