
ଭଞ୍ଜନଗର (ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରୁ ଶୁକ୍ରବାର ଏବର୍ଷର ଖରିଫ ଧାନକିଣା ଆରମ୍ଭ ହୋଇଛି । ଉପଖଣ୍ଡର ଭଞ୍ଜନଗର ବ୍ଲକ ଅଧିନ ମୁଦୁଲିପଲ୍ଲୀର ମା ବାପାଙ୍ଗୀ ଏସଏଚଜିଙ୍କ ଠାରେ ଧାନକିଣାର ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷ ଖରିଫ ଧାନକିଣା ପ୍ରକ୍ରିୟାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ନାୟକ କହିଥିଲେ, ଆମ ସରକାର ଚାଷୀଙ୍କୁ ଯାହା କଥା ଦେଇଥିଲେ, ତାହା ରଖିଛନ୍ତି । ଚଳିତବର୍ଷ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ଏମଏସପି ଓ ଇନପୁଟ୍ ସହାୟତା ମିଶି ୩୧୦୦ ଟଙ୍କା ମିଳିବ । ନିର୍ଦ୍ଧାରିତ ଦିନରେ ଚାଷୀ ଧାନ ଧରି ମଣ୍ଡି କୁ ଆସିବେ । ମିଲର୍ସ ମାନେ ଧାନ ଉଠାଇବେ । ଧାନ ବିକ୍ରୟ ସମୟରେ ଚାଷୀ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ମଣ୍ଡି ନୋଡାଲ ଅଫିସର ଓ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଧାୟକ ଶ୍ରୀ ନାୟକ କହିଛନ୍ତି ।
ଖରିଫ ଧାନ ଅମଳ ସମୟରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଚାଷୀକୁଳ ର ବହୁବିଧ କ୍ଷତି ହୋଇଥିଲା । କ୍ଷତିଗ୍ରସ୍ତ ଫସଲର କ୍ଷୟକ୍ଷତି ଆକଳନ କରାଯାଇ ଚାଷୀ ଙ୍କୁ କ୍ଷତିପୂରଣ ଦିଆଯିବ । ସମସ୍ତ ଙ୍କ ସମନ୍ବୟରେ ଚଳିତ ବର୍ଷର ଖରିଫ ଧାନ କିଣାକୁ ସୁରୁଖୁରୁରେ ସମାପନ କରାଯିବ । ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କିଣା ଯିବା ସହ ଟଙ୍କା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ କହିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର, ଭଞ୍ଜନଗର ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି, ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢ଼ୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁମନ୍ତ ସାହୁ, ଯୋଗାଣ ନିରୀକ୍ଷିକା ଶୁଭଶ୍ରୀ ବନୋଜା ଜେନା, ମିଶନଶକ୍ତି ବିପିସି, ମା ବାପାଙ୍ଗୀ ଏସଏଚଜି ସଭାପତି ସାଇବାଣି ବିଷୋୟୀ, ସମ୍ପାଦିକା ଝୁନୁ ବିଷୋୟୀ ଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ମିଲର୍ସ, ଚାଷୀ, ପ୍ୟାକ୍ସ ସମ୍ପାଦକ, ଆରଏମସି କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।