କଡ଼ା ସୁରକ୍ଷା ବଳୟରେ ପ୍ରବାସୀ ଭାରତୀୟ ଦିବସ: ପୁଲିସ୍ ମାସ୍କଟ୍ ‘ହାଫି’ ଲୋକାର୍ପିତ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ରାଜଧାନୀରେ ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ୧୦ ତାରିଖ ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଏହି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭଡ଼ିଛି। କୌଣସି ପ୍ରକାର ବିଶୃଙ୍ଖଳା ନ ହେବା ପାଇଁ ଦିବସକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଏନେଇ ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଓ ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାସ ଯୋଗଦେଇଥିଲେ। ଏହି ଅବସରରେ ମାସ୍କଟ୍‌ ‘ହାଫି’ର ଲୋକାର୍ପଣ ହୋଇଯାଇଛି। ଏହା ପୁଲିସ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବା ସହ ଅତିଥିଙ୍କୁ ସ୍ବାଗତ କରିବ। ସେହିଭଳି ଏହି ଅବସରରେ ସ୍ୱେଚ୍ଛାସେବୀ ‘ପ୍ରବାସୀ ମିତ୍ର’, ୨୪ଘଣ୍ଟିଆ ହେଲ୍‌ପ ଲାଇନ୍ ନମ୍ବର ‘୧୯୬୫’, ହ୍ୱାଟ୍ସଆପ୍‌ ଚାଟ୍ ବୋଟ୍ ଓ ସ୍ବତନ୍ତ୍ର ପର୍ଯ୍ୟଟକକୁ ପୁଲିସ କମିସନର ଶ୍ରୀ ସିଂ ଲୋକାର୍ପଣ କରିଛନ୍ତି।ମୁତୟନ ହେବ ୮୩ ପ୍ଲାଟୁନ୍‌, ୩୦୦ ଅଫିସରଏହି ଉତ୍ସବ ସମୟରେ ଭୁବନେଶ୍ବରର ୧୦ରୁ ଅଧିକ ସ୍ଥାନରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ। ଅତିଥିମାନେ ଆଖପାଖରେ ଥିବା ପର୍ଯଟନସ୍ଥଳୀକୁ ମଧ୍ୟ ଯାଇପାରନ୍ତି ।

ସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଓ କଟକର ସୁରକ୍ଷା ବ୍ୟବସ୍ଥାକୁ ମଝବୁତ କରିବା ପାଇଁ ୮୩ ପ୍ଲାଟୁନ ପୁଲିସ ଫୋର୍ସ ସହ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯିବ। ସେହିପରି ପୁଲିସ ବଳକୁ ନିୟନ୍ତ୍ରଣ ପାଇଁ ଗୋଟିଏ ମୁଖ୍ୟ କଣ୍ଟ୍ରୋଲ୍‌ ରୁମ୍‌ ସହ ସହରର ବିଭିନ୍ନ ସ୍ଥାନରେ ଏକାଧିକ କଣ୍ଟ୍ରୋଲ୍‌ ରୁମ୍‌ ରହିବ। ଏହି କଣ୍ଟ୍ରୋଲ୍‌ ରୁମ୍‌ ଦାୟିତ୍ବରେ ଜଣେ ଜଣେ ଏଡିସିପି ରୢାଙ୍କ୍‌ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। ସେମାନେ ସ୍ଥିତି ଉପରେ ନଜର ରଖି ପରିଚାଳନା କରିବା ପାଇଁ ନିର୍ଦେଶ ଦେବେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ୩୦୦ଜଣ ଅଧିକାରୀ ନିୟୋଜିତ ହେବେ। ଏହାଛଡ଼ା ବିଭିନ୍ନ ସ୍ଥାନରେ ୨ହଜାରରୁ ଅଧିକ ସିସିଟିଭି ଖଞ୍ଜାଯାଇଛି। ସିସିଟିଭିଗୁଡ଼ିକୁ କଣ୍ଟ୍ରୋଲ୍‌ ରୁମ୍‌ ସହ ସଂଯୋଗ କରାଯାଇଛି। ଅଧିକାରୀମାନେ ସିସିଟିଭି ମାଧ୍ୟମରେ ପୂରା ସ୍ଥିତି ଉପରେ ନଜର ରଖିବେ। ୭୦୦ ପ୍ରବାସୀ ମିତ୍ରକାର୍ଯ୍ୟକ୍ରମ ସମୟରେ ପୁଲିସ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ପ୍ରବାସୀ ମିତ୍ର ଗଠନ କରାଯାଇଛି। ଏଥିରେ ବଛାବଛା ୭୦୦ଜଣ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯାଇଛି। ସେମାନେ ଟ୍ରାଫିକ୍ ପରିଚାଳନା ସହ ପାର୍କିଂ ସ୍ଥାନ ପରିଚାଳନା ଏବଂ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପୁଲିସକୁ ସହାୟତା ପ୍ରଦାନ କରିବେ ।

ହେଲ୍ପଲାଇନ୍-୧୯୬୫କମିସନରେଟ୍ ପୁଲିସ୍ ପକ୍ଷରୁ ଏକ ୨୪ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର-୧୯୬୫ ଜାରି କରାଯାଇଛି। ପ୍ରବାସୀ ଭାରତୀୟ ଅତିଥି ବା ପ୍ରତିନିଧିମାନେ କୌଣସି ପ୍ରକାର ସମସ୍ୟା‌ରେ ପଡ଼ିଲେ କିମ୍ବା କୌଣସି ପ୍ରକାର ସହଯୋଗ ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବେ। ଏହା କମିସନରେଟ୍ ପୁଲିସ୍ ମୁଖ୍ୟାଳୟରେ ଥିବା ମାଷ୍ଟର କଣ୍ଟ୍ରୋଲ ରୁମ୍‌ରୁ ପରିଚାଳିତ ହେବ।ହ୍ବାଟ୍ସଆପ ଚାଟ୍ ବୋଟ୍ ଉତ୍ସବକୁ ଆସିଥିବା ଅତିଥି ଓ ପ୍ରତିନିଧିମାନେ ଯେଭଳି ସ୍ଥାନ ଓ ସମୟକୁ ନେଇ ଦ୍ବନ୍ଦ୍ବରେ ନପଡ଼ନ୍ତି, ସେଥିପାଇଁ ଏକ ହ୍ବାଟ୍ସଆପ୍‌ ଚାଟ୍‌ ବୋଟ୍‌ ବ୍ୟବସ୍ଥା କରାଯାଇଛି। କେହି କୌଣସି ପ୍ରକାର ସମସ୍ୟାରେ ପଡ଼ିଲେ, କେଉଁଠି ଅଭିଯୋଗ କରିବେ, ସେନେଇ ଆଉ ଦ୍ବନ୍ଦ୍ବ ସୃଷ୍ଟି ହେବନାହିଁ। ଏଥିପାଇଁ ଚାଟ୍‌ ବୋଟ୍‌ ପ୍ରସ୍ତୁତ କରାଯାଇଛି ।

+୯୧-୮୨୮୦୭୦୭୩୪୬ ନମ୍ବରରେ ଏହି ଚାଟ୍ ବୋଟ୍ ସହିତ ଚାଟ୍‌ କରିପାରିବେ। ଲାଇଭ୍‌ ଲୋକେସନ୍‌ ଠାରୁ ଆରମ୍ଭ କରି ରିଅଲ୍ ଟାଇମ୍ ଅପ୍‌ଡେଟ୍, ସୁରକ୍ଷା ଟିପସ୍, ଅତ୍ୟାବଶ୍ୟକ ସୂଚନା, ନିକଟସ୍ଥ ଥାନା, ଅନ୍‌ଲାଇନ୍‌ ଅଭିଯୋଗ ଦାଖଲ ଆଦି ପାଇଁ ସହାୟତା ମିଳିବ।ସ୍ବତନ୍ତ୍ର ପୁଲିସଭୁବନେଶ୍ବର ଓ କଟକରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପାଇଁ ସ୍ବତନ୍ତ୍ର ପୁଲିସ ମୁତୟନ ହେବେ। ଏଥିପାଇଁ କମିସନରେଟ୍‌ ପୁଲିସରୁ ବଛାବଛା ୩୦୦ ପୁଲିସ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ସେମାନେ ପର୍ଯ୍ୟଟନସ୍ଥଳୀ, ଉତ୍ସବସ୍ଥଳ, ସହରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅତିଥିଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ଏମାନଙ୍କୁ ସ୍ବତନ୍ତ୍ର ଆଇକାର୍ଡ ମଧ୍ୟ ଦିଆଯାଇଛି। ସରାଇ ଆପ୍‌ରେ ତଥ୍ୟ ବାଧ୍ୟତାମୂଳକରାଜଧାନୀର ହୋଟେଲ୍‌ ଓ ଗେଷ୍ଟ ହାଉସ୍‌ରେ କିଏ ରହୁଛନ୍ତି, ଏହାର ଟିକ୍‌ନିକ ତଥ୍ୟ ପୁଲିସ ପାଖରେ ରହିବ। ଏଥିପାଇଁ ସମସ୍ତ ହୋଟେଲ୍‌କୁ କମିସନରେଟ୍‌ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେମାନେ ପ୍ରତିଦିନ ସରାଇ ଆପ୍‌ରେ ହୋଟେଲ୍‌କୁ ଆସୁଥିବା ଅତିଥିଙ୍କ ତଥ୍ୟ ଅପ୍‌ଲୋଡ୍‌ କରିବେ। ଯେଉଁମାନେ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେନାବନୀ ଦିଆଯାଇଛି। ବଡ଼ ଚିନ୍ତା ଟ୍ରାଫିକ୍‌ଏହି ସମୟରେ ରାଜଧାନୀକୁ ହଜାର ହଜାର ଅତିଥି ଆସିବେ। ସହରରେ ବିଭିନ୍ନ ମ‌ନୋରଂଜନ କାର୍ଯ୍ୟକ୍ରମ ପାଇଁ ଭିଡ଼ ଜମିବ। ସାଧାରଣ ଦିନମାନଙ୍କରେ ରାଜଧାନୀର ଟ୍ରାଫିକ୍‌ ପରିଚାଳନା ପୁଲିସ ପାଇଁ କାଠିକର ପାଠ ହୋଇଥିବା ବେଳେ ଏହି ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

Leave a Reply

Your email address will not be published. Required fields are marked *