ସହଦେବଙ୍କ ପରିବାରକୁ ନବୀନଙ୍କ ସହାୟତା

ଭୁବନେଶ୍ୱର: ଗତ ବୁଧବାର ରସୁଲଗଡ଼ ଫ୍ଲାଏ ଓଭରରେ ନିର୍ମମ ହତ୍ୟାକାଣ୍ଡର ଶିକାର ହୋଇଥିବା ବିଏମ୍‌ସି ସାନିଟାରି ସୁପରଭାଇଜର ସ୍ବର୍ଗତ ସହଦେବ ନାୟକଙ୍କ ପରିବାରବର୍ଗ ଆଜି ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସ୍ବର୍ଗତ ନାୟକଙ୍କ ବିଧବା ପତ୍ନୀ ଓ ଦୁଇ ଝିଅ ନବୀନ ନିବାସରେ ଭେଟି ଦୁଃଖ ଜଣାଇଥିଲେ। ହତ୍ୟାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦାବି କରିବା ସହ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ନାୟକଙ୍କ ପତ୍ନୀ ଓ ପିଲାମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ଏଭଳି ବିପତ୍ତିରେ ସେ ସହଦେବଙ୍କ ପରିବାର ସହ ଅଛନ୍ତି ଓ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶୁଦ୍ଧି କର୍ମ ପାଇଁ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ନାୟକଙ୍କ ପତ୍ନୀଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୂର୍ବରୁ ଠିକା ସଂସ୍ଥା ଜରିଆରେ ୫ଲକ୍ଷ ଟଙ୍କା ଓ ପତ୍ନୀଙ୍କୁ ସୁପରଭାଇଜର ଚାକିରୀ ଦେବାପାଇଁ ବିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ। ହତ୍ୟାର ଦୁଇ ଦିନ ପୂର୍ବରୁ ସ୍ବର୍ଗତ ନାୟକ ତାଙ୍କ ପରିବାର ସହ ନବୀନ ନିବାସକୁ ଯାଇ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *