ଭଞ୍ଜନଗର: ଦନ୍ତା ଆକ୍ରମଣରେ ବାପା ଝିଅ ଗୁରୁତର

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଦିନକୁ ଦିନ ବଢିବାରେ ଲାଗିଛି ହାତୀଙ୍କ ଦୌରାତ୍ମ । ଘର ଦ୍ଵାରା ଭଙ୍ଗାରୁଜା କରିବା ସହ ବ୍ୟାପକ ଧାନ ଓ ପନିପରିବା, ଆଖୁବାଡ଼ି ନଷ୍ଟ କରିବାରେ ଲାଗିଛନ୍ତି । ଏପରିକି ଜନସାଧାରଣଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉନାହାଁନ୍ତି । ଏଭଳି ଏକ ହାତୀ-ମଣିଷ ଲଢ଼େଇର ସଙ୍ଗୀନ ସ୍ଥିତି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ସୃଷ୍ଟି ହୋଇଛି । ଖାଦ୍ୟ ଅନ୍ୱେଷଣରେ ହାତୀ ଜନବସତି ମୁହାଁ ହେଉଥିବା ବେଳେ ହାତୀପଲ ଠାରୁ ମଣିଷକୁ ଏବଂ ନିରୀହ ହାତୀଙ୍କର ସୁରକ୍ଷା ଚାଲେଞ୍ଜ ଭାବେ ଉଭା ହୋଇଛି । ଗତକାଲି ଏହି ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଟୋକାଗଣ୍ଡା ବିଟ ଅଧିନ ଜାନକୀପୁର ଗ୍ରାମରେ ସୁଦୁରୁ ନାଇକ ନାମକ ଜଣେ ବୃଦ୍ଧକୁ ଏକ ଦନ୍ତାହାତୀ ଆକ୍ରମଣ କରିଥିବା ବେଳେ ଗତ ବିଳମ୍ବିତ ରାତିରେ ଲଙ୍ଗଳଖୋଳା ବିଟ ସରପଡା ଗ୍ରାମର ତ୍ରିଲୋଚନ ମନ୍ତ୍ରୀ (୪୦) ଏବଂ ତାଙ୍କ ଝିଅ ଖୁସି ମନ୍ତ୍ରୀ (୮) ହାତୀ ଠାରୁ ଜୀବନ ରକ୍ଷା ପାଇଁ ଦୌଡ଼ି ଗୁରୁତର ଆହତ ହୋଇଛନ୍ତି । ତ୍ରିଲୋଚନଙ୍କ କହିବା ଅନୁଯାୟୀ, ତାଙ୍କର ସ୍ତ୍ରୀ ଝିଅ ଓ ଦୁଇ ପୁଅଙ୍କୁ ନେଇ ଗୋଟିଏ ବଖରାରେ ଶୋଇଥିବା ବେଳେ ଅନ୍ୟ ଏକ ବଖରାରେ ସେ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏକ ହାତୀ ଆସି ତାଙ୍କ କାନ୍ଥ ଠେଲୁଥିବା ଜାଣିବାକୁ ପାଇଥିଲେb। ତୁରନ୍ତ ସ୍ତ୍ରୀ ଓ ପିଲା ମାନଙ୍କୁ ଉଠାଇ ପ୍ରାଣବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ । ଏହି ସମୟରେ ଦନ୍ତାହାତୀ ଟି ମଧ୍ୟ ତାଙ୍କ ପଛରେ ଗୋଡ଼ାଇଥିଲା । ହାତୀଟି ଗୋଡ଼ରେ ତାଙ୍କୁ ଚକୁଡି ଦେବାରୁ ତ୍ରିଲୋଚନ ତଳେ ପଡ଼ିଯାଇଥିଲେ । ଏଥିରେ ତାଙ୍କ ଗୋଡ ଭାଙ୍ଗିଯିବା ସହ ସେ ଝିଅକୁ ଧରିକି ଦୌଡ଼ିଥିବାରୁ ଝିଅ ମଧ୍ୟ କଚାଡି ହୋଇ ତଳେ ପଡିଥିବା ତ୍ରିଲୋଚନ କହିଛନ୍ତି । ହାତୀଟି ସେଠାରୁ ଅନ୍ୟତ୍ର ପଳାଇଥିବା ବେଳେ ଗ୍ରାମବାସୀ ଓ ବନ ବିଭାଗ ସହାୟତାରେ ବାପା ଓ ଝିଅଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ପହଁଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଉଭୟ ବାପା ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି । ଅପରପକ୍ଷେ ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।

Leave a Reply

Your email address will not be published. Required fields are marked *