
ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପୁଣେସ୍ଥିତ ଭାରତୀୟ ଫିଲ୍ମ ଓ ଟେଲିଭିଜନ ପ୍ରତିଷ୍ଠାନ( ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ)ର ଏକ ଅଡିଟୋରିୟମର ଉଦଘାଟନ କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସୋସାଇଟି ଭାବେ ପଞ୍ଜୀକୃତ ସ୍ୱୟଂଶାସିତ ଅନୁଷ୍ଠାନ ଭାରତୀୟ ଫିଲ୍ମ ଓ ଟେଲିଭିଜନ ପ୍ରତିଷ୍ଠାନକୁ ଶ୍ରୀ ବୈଷ୍ଣବ ପ୍ରଥମ ଥର ପାଇଁ ଗସ୍ତ କରିଥିଲେ। ଶ୍ରୀବୈଷ୍ଣବ ଛାତ୍ରଛାତ୍ରୀମାନଙ୍କ ସହ ରିବନ କାଟି ଓ ଦୀପ ପ୍ରଜ୍ଜ୍ବଳନ କରି ଏହାର ଉଦଘାଟନ କରିଥିଲେ । ଉଦଘାଟନ ପରେ ଛାତ୍ରଛାତ୍ରୀମାନଙ୍କ ସହ ମୁକ୍ତ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବ ମଞ୍ଚରେ ଏଫଟିଆଇଆଇକୁ ପହଞ୍ଚାଇବା ଲାଗି ନିଜର ଯୋଜନା ସଂପର୍କରେ ଆଲୋତପାତ କରିଥିଲେ । ସେ କହିଥିଲେ, ଉତ୍କର୍ଷ ଯାତ୍ରାରେ ଆହୁରି ଆଗକୁ ବଢିବା ଲାଗି ଆମ ଐତିହ୍ୟ ଓ ପରମ୍ପରା ଏକ ଦୃଢ ଭିତ୍ତି ପ୍ରଦାନ କରିଥାଏ । ଶ୍ରୀ ବୈଷ୍ଣବ ପ୍ରସ୍ତାବିତ ଡିମଡ୍ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ ଓ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଶ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ସିନେମା ଶିକ୍ଷା ଉପରେ ତାଙ୍କର ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ସୁଯୋଗକୁ ସୁଦୃଢ଼ କରିବା ଏବଂ ଅନୁଷ୍ଠାନକୁ ଶିଳ୍ପ ସହ ଅଧିକରୁ ଅଧିକ ଯୋଡ଼ିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ବୈଷ୍ଣବ ଖୁବ୍ କମ୍ ସମୟ ମଧ୍ୟରେ ବିଶ୍ବସ୍ତରରେ ଏକ ପ୍ରମୁଖ ପ୍ରତିଭା ପ୍ରଦାନକାରୀ ସଂସ୍ଥାରେ ପରିଣତ ହୋଇଥିବା ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଥିଲେ ।

ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି ମଧ୍ୟ କହିଥିଲେ ଯେ ଏହି ନୂତନ ଅଡିଟୋରିୟମ କେବଳ ଏଫଟିଆଇଆଇର ଶିକ୍ଷାଦାନ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ନୁହେଁ, ବରଂ ଏହା ପୁଣେର ସମୃଦ୍ଧ ସାଂସ୍କୃତିକ ପରିଦୃଶ୍ୟକୁ ମଧ୍ୟ ଉନ୍ନତ କରିବ ।ସିନେମା ପ୍ରୋଜେକ୍ଟର, ମଞ୍ଚ ପ୍ରଦର୍ଶନ ପାଇଁ ପିଏ ସିଷ୍ଟମ ଏବଂ ଅତ୍ୟାଧୁନିକ ଡଲ୍ବି ଆଟମସ୍ ସରାଉଣ୍ଡ ସାଉଣ୍ଡ ସିଷ୍ଟମ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ଏହି ଅଡିଟୋରିୟମରେ ୫୮୬ ଜଣ ବସିବାର କ୍ଷମତା ରହିଛି। ଅଡିଟୋରିୟମର ସବୁଠାରୁ ନିଆରା ବୈଶିଷ୍ଟ୍ୟ ହେଉଛି ଏହାର ଅଭିନବ, ହରାଇଜୋଣ୍ଟାଲ ଚଳନକ୍ଷମ ସ୍କ୍ରିନ, ଯାହା୫୦ ଫୁଟ ଚଉଡା ଏବଂ ୨୦ ଫୁଟ ଉଚ୍ଚ । ଏହି ଅତ୍ୟାଧୁନିକ ସ୍କ୍ରିନ୍କୁ ରିମୋଟ୍ କଣ୍ଟ୍ରୋଲ୍ ବ୍ୟବହାର କରି ସହଜରେ ଆଡଜଷ୍ଟ କରାଯାଇପାରିବ, ଯାହାଦ୍ୱାରା ଅଡିଟୋରିୟମକୁ ସହଜରେ ସିନେମା ଥିଏଟରରେ ପରିଣତ କରାଯାଇପାରିବ। ଏହି ପ୍ରକାରର ପ୍ରଥମ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଏଧରଣର ପ୍ରଥମ ଓ ଅଡିଟୋରିଅମ ଡିଜାଇନ କ୍ଷେତ୍ରରେ ବହୁମୁଖୀତା ଏବଂ ନମନୀୟତା ଦୃଷ୍ଟିରୁ ନୂତନ ମାନଦଣ୍ଡ ସ୍ଥାପିତ କରେ । ଏଫଟିଆଇଆଇ ଏହି ବୈଶିଷ୍ଟ୍ୟ ନିମନ୍ତେ ପେଟେଣ୍ଟ ପାଇଁ ଆବେଦନ କରିସାରିଛି ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁଷ୍ଠାନର ବିଭିନ୍ନ ସୁବିଧା ସୁଯୋଗ ପରିଦର୍ଶନ କରିବା ସହ ଅଧ୍ୟାପକମାନଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ବୈଷ୍ଣବ ସୃଜନଶୀଳ ଅର୍ଥନୀତି ଉପରେ ନିଜର ମତ ବ୍ୟକ୍ତ କରିଥିଲେ। ଏଫଟିଆଇଆଇର ପ୍ରତିଭା ଏବଂ ଇକୋସିଷ୍ଟମ ସାହାଯ୍ୟରେ ଆମେ ଏହି କ୍ଷେତ୍ରରେ ବଡ଼ ସଫଳତା ହାସଲ କରିପାରିବୁ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । “