
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଲାଗୁ କରିଥିଲେ। ହେଲେ ଓଡ଼ିଶାରେ ପୂର୍ବ ସରକାର ତାକୁ ଲାଗୁ କରିନଥିଲେ। ଗତକାଲି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ ଲାଗୁ ହୋଇଛି। ଏଥିସହ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଯୋଡ଼ି ହୋଇଛି। ଏହା ଫଳରେ ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିଛି। ଏହା ଦ୍ବାରା ଲୋକେ ଉପକୃତ ହେବ। ସେ ଆହୁରି କହିଛନ୍ତି ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଏଥିରେ ଏଏନଏମ୍, ସ୍ବାସ୍ଥ୍ୟ କର୍ମୀ ଓ ଯୋଗ ଶିକ୍ଷକ ରହିବେ। ବିମାନବନ୍ଦରରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଦିଲ୍ଲୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ବାଗତ କରିବା ଲାଗି କେତେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, ଓଡ଼ିଶାରେ ଆରମ୍ଭ ହେବ ‘ଆୟୁଷ୍ମାନ ଭାରତ’ ଯୋଜନା। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଓଡ଼ିଶା ସରକାରଙ୍କ ଗୋପବନ୍ଧୁଜନ ଆରୋଗ୍ୟ ଯୋଜନାର ଯୋଡ଼ି ହୋଇଛି। ଏହାଦ୍ୱାରା ରାଜ୍ୟର ୧.୦୩ କୋଟି ପରିବାର ଉପକୃତ ହେବେ। ଏହା ସହ ରାଜ୍ୟରେ ଥିବା ୨୩ଲକ୍ଷ ୧୨ହଜାର ୯୭୯ଜଣ ୭୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଚିକିତ୍ସା ସୁବିଧା ପାଇପାରିବେ। ସ୍ଥାନୀୟ ବିଜ୍ଞାନ ଭବନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ(ଏନ୍ଏଚ୍ଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲ୍ଏସ୍ ଚାଙ୍ଗସାନ ଓ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏସ୍. ଅଶ୍ବଥୀ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଏହି ଯୋଜନା ରାଜ୍ୟର ୮୬% ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆଣିବ। ଏହାସହ ରାଜ୍ୟବାସୀ ୯୦୦ ଡାକ୍ତରଖାନା ବଦଳରେ ଦେଶର ୩୦ ହଜାର ଡାକ୍ତରଖାନାରେ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଘରୋଇ ଡାକ୍ତରଖାନାରେ ମାସିକ ପ୍ରାୟ ୩୫୦ କୋଟି ସ୍ବାସ୍ଥ୍ୟ ବାବଦକୁ ଖର୍ଚ୍ଚ ହେଉଛି। ରାଜ୍ୟର ପଞ୍ଚାୟତ ସ୍ତରରେ ଯେଉଁ ସ୍ବାସ୍ଥ୍ୟ ଉପକେନ୍ଦ୍ର ଅଛି ତାହା ଠିକ୍ଭାବେ କାର୍ଯ୍ୟକାରୀ ହେଉନାହିଁ। ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଆୟୁଷ୍ମାନଆରୋଗ୍ୟ ମନ୍ଦିର ସ୍ଥାପିତ ହେବ। ଏଥିରେ ସ୍ବାସ୍ଥ୍ୟ କର୍ମୀ ଓ ଯୋଗ ଶିକ୍ଷକ ନିୟୋଜିତ ହେବେ। ଏସବୁ କେନ୍ଦ୍ର ଗୁଡ଼ିକର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରାୟ ୨୧ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଯାହାକି ପୂର୍ବ ବର୍ଷ ଅପେକ୍ଷା ୩୨.୨% ଅଧିକ। ଏହା ରାଜ୍ୟ ବଜେଟର ୮%। ଏହି ପରିମାଣ ଜାତୀୟ ସ୍ୱାସ୍ଥ୍ୟନୀତିର ସୁପାରିସ ଅନୁରୂପ ହୋଇଛି। ଆୟୁଷ୍ମାନ ଭାରତରେ ପୁରୁଷମାନେ ୫ଲକ୍ଷ ଓ ମହିଳା ହିତାଧିକାରୀ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ ।
i