
ଜଗନ୍ନାଥପ୍ରସାଦ (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ ଗେରେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରେ ଅନିୟମିତତା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଶହ ଦଶ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ କୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ମଧ୍ୟାହ୍ନ ଭୋଜନ ନିମ୍ନ ମାନର ପ୍ରଦାନ କରାଯାଉଛି । ଡାଲମାରେ ପରିବା ଦେଖିବାକୁ ମିଳୁନାହିଁ । ସରକାର ଙ୍କ ପକ୍ଷରୁ ଗତ ଡିସେମ୍ବର ମାସରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ପିଛା ୨ଟଙ୍କା ବୃଦ୍ଧି କରାଯାଇଛି । ପ୍ରାଥମିକ ଛାତ୍ରଛାତ୍ରୀ ଙ୍କ ପୂର୍ବରୁ ୫.୯୦ ଥିଲା ତାହା ବୃଦ୍ଧି ହୋଇ ୭.୬୪ ପଇସା ହୋଇଛି ସେହିପରି ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀ ଙ୍କ ପାଇଁ ବୃଦ୍ଧି ପାଇ ୮.୮୨ ରୁ ୧୦.୯୪ ପଇସା ହୋଇଛି । ଦର ବୃଦ୍ଧି ପାଇଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନର ମାନରେ କୌଣସି ପରିବର୍ତ୍ତନ ହେଉନାହିଁ । ଦୁଇ ତିନିଦିନ ଭଲ ଦେବା ପରେ ଏବେ ଯଥା ପୂର୍ବମ୍ ତଥା ପରମ । ଅନେକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ରୁ ମୁଁହ ଫେରାଉଛନ୍ତି । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ରୋଷେଇ ଗୃହ ନଥିବା ବେଳେ ଏକ ପରିତ୍ୟକ୍ତ ପୁରୁଣା ଆଜବେଷ୍ଟ ଘରେ ଆନ୍ଧାରିଆ ଭିତରେ ରୋଷେଇ ହେଉଛି । ଉପରୁ ସୂର୍ଯ୍ୟ ଆଲୋକ ଦେଖାଯାଉଛି ଓ ବର୍ଷା ହେଲେ ପାଣି ଗଲୁଛି । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସରକାରଙ୍କ ପକ୍ଷରୁ ଜାଳେଣି ଭାବେ ଗ୍ୟାସ ବ୍ୟବସ୍ଥା କରା ଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏଠାରେ କାଠ ଜାଳେଣି ବ୍ୟବହାର କରାଯାଉଛି ଯାହା ଫଳରେ ସ୍କୁଲ ପରିବେଶ ଧୂଆଁମୟ ହେଉଛି । ଛାତ୍ରଛାତ୍ରୀ ଚୁଲି ଧୂଆଁରେ କଲବଲ ହେଉଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ପ୍ରଧାନ ଙ୍କୁ ବୁଝିବାରୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ମହିଳା ଗ୍ରୁପକୁ ଦିଆଯାଇଥିବା କହି ନିଜ ମୁଣ୍ଡରୁ ସବୁ ଦୋଷ ଖସାଇ ଦେଇଛନ୍ତି । ବିଦ୍ୟାଳୟରେ ଆଠଟି ଶ୍ରେଣୀ ଥିବା ବେଳେ ଶିକ୍ଷାଦାନ ପାଇଁ ୧୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ୭ଟି ବଖରାରେ ଶିକ୍ଷାଦାନ ଚାଲୁଛି । ପୁରୁଣା କୋଠାରେ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀ ବସୁଛନ୍ତି । ଏହି ବଖରାରେ ଝରକା କବାଟ ନଥିବା ବେଳେ ଭଙ୍ଗାଘରେ ବିପଦ ପୂର୍ଣ୍ଣ ଭାବେ ଶିକ୍ଷାଦାନ ଚାଲିଛି । ଆଗାମୀ ଦିନରେ କିଛି ଅଘଟଣ ହେଲେ କିଏ ଦାୟୀ ରହିବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେବାକୁ ଦାବି ହୋଇଛି ।