ଭଞ୍ଜନଗର: ଶିଶୁକୁ ନିଜର ୭୪ତମ ରକ୍ତଦାନ କଲେ ସାମ୍ବାଦିକ ଜୟକୃଷ୍ଣ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ପେଷା ସାମ୍ବାଦିକତା ହେଲେ ନିଶା ସମାଜସେବା।ଏଭଳି ଜଣେ ବ୍ୟକ୍ତି ହେଲେ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ।ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ। ସମାଜସେବା ବ୍ୟତୀତ ସେ ଜଣେ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ। ବର୍ତ୍ତମାନ ସୁଦ୍ଧା ଜୟକୃଷ୍ଣ ୭୪ଥର ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏଥି ନିମନ୍ତେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଶ୍ରେଷ୍ଠ ରକ୍ତଦାତା ଭାବେ ମଧ୍ୟ ପୁରସ୍କୃତ କରାଯାଇଛି। ବେଲଗୁଣ୍ଠା ବ୍ଲକ କେବିରି ବ୍ରହ୍ମପୁର ଗ୍ରାମର ବାବୁଲି ଜେନାଙ୍କ ୫ବର୍ଷର ପୁଅ ସାଇରାମ ଥାଲାସେମିଆ ରୋଗରେ ପୀଡିତ ତେଣୁ ତାଙ୍କୁ ପ୍ରତି ମାସରେ ରକ୍ତର ଆବଶ୍ୟକତା ହୋଇଥାଏ। ବାବୁଲି ରୋଜଗାର ପାଇଁ ସୁଦୂର ସୁରଟରେ ରହୁଥିବା ବେଳେ ତାଙ୍କ ପତ୍ନୀ ମାଧୁରୀ ଜେନା ୨ଦିନ ହେଲା ବହୁ ଚେଷ୍ଟା କରି ମଧ୍ୟ ପୁଅ ପାଇଁ ରକ୍ତ ଯୋଗାଡ଼ କରିପାରି ନଥିଲେ। ଏସମ୍ପର୍କରେ ଖବର ପାଇ ଜୟକୃଷ୍ଣ ତୁରନ୍ତ ଉକ୍ତ ଶିଶୁପୁତ୍ରକୁ ଭଞ୍ଜନଗର ମେଡ଼ିକାଲରେ ରକ୍ତଦାନ କରିଥିଲେ। ଏହାଦେଖି ମାଧୁରୀ ନିଜ ପୁଅର ଉପକାର ପାଇଁ ଜୟକୃଷ୍ଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନେକ ସମୟରେ ଖବର ସଂଗ୍ରହ ପାଇଁ ଜୟକୃଷ୍ଣ ମେଡ଼ିକାଲ ଆସିଥିଲା ବେଳେ ସେଠାରେ କୌଣସି ଗରିବ ଓ ଅସହାୟ ଲୋକଙ୍କ ଅଭାବ ଅସୁବିଧା ଦେଖି ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ମେଡ଼ିକାଲ ପହଞ୍ଚାଇବାରେ ଆଗେଇ ଆସିଛନ୍ତି। ବିପଦ ସମୟରେ ଲୋକଙ୍କୁ ସାହାଯ୍ୟ କଲେ ଆତ୍ମତୃପ୍ତି ମିଳିଥାଏ ବୋଲି ଜୟକୃଷ୍ଣ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Leave a Reply

Your email address will not be published. Required fields are marked *