
ଭୁବନେଶ୍ବର: ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖ ଦିନ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ବିକଶିତ ଓଡ଼ିଶାର ଶ୍ଲେଗାନ ଦେଉଥିବା ମୋହନ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ ସେଥିପାଇଁ ଆସନ୍ତାକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବାହ୍ଣ ସାଢ଼େ ୧୦ଟାରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବିଚାର ବିମର୍ଶ ହେବ। ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିକୁ ନଜରେ ରଖି ବଜେଟ୍ ପ୍ରସ୍ତୁତ ହେବ। ବିକଶିତ ଓଡ଼ିଶା ଗଢ଼ିବା ପାଇଁ ହେବ ସହାୟକ। ବୈଠକରେ ଅର୍ଥନୀତି ବିଶେଷଜ୍ଞଙ୍କ ପୂର୍ବତନ ଅର୍ଥମନ୍ତ୍ରୀ ସାମିଲ ହେବେ ।
ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏନେଇ ଏଥି ପାଇଁ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଥିଲା। କେଉଁ କ୍ଷେତ୍ର ପାଇଁ ବଜେଟ୍ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇଥିଲେ।ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଆସନ୍ତା ଏପ୍ରିଲ୍ ୫ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଜାରି ରହିବ। ଫେବ୍ରୁଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ତାରିଖ ଯାଏଁ ଅଧିବେଶନ ବନ୍ଦ ରହିବ। ମାର୍ଚ୍ଚ ୭ ତାରିଖ ଠାରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟରେ ଅଧିବେଶନ ଜାରି ରହିବ ।