ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ: ମନମୋହିଲା ବିଭାଗୀୟ ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର: ୭୬ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ବରସ୍ଥିତ ମହାତ୍ମାଗାନ୍ଧୀ ମାର୍ଗରେ ପାଳିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ରାଜ୍ୟପାଳ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ। ପରେ ରାଜ୍ୟ ପୁଲିସ ବ୍ୟାଣ୍ଡ୍‌ ଦ୍ବାରା ଜାତୀୟ ସଂଗୀତ ବାଦନ ପରେ ସାମରିକ ବାହିନୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୬ଟି ବେସାମରିକ ଦଳକୁ ମିଶାଇ ସମୁଦାୟ ୪୩ଟି ଦଳ ପରେଡ୍‌ରେ ଅଂଶଗ୍ରହଣ କରିଥିଲେ। ସମ୍ମିଳିତ ପରେଡ୍‌ ଅନୁଷ୍ଠିତ ହେବା ପରେ ବିଭିନ୍ନ ସାସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କଟକ ଚୌଦ୍ବାର ସଂଗୀତ କଳା ସଂସଦ ପକ୍ଷରୁ ପାରମ୍ପରିକ ଘୋଡ଼ା ନାଚ, ରାୟଗଡ଼ା ଜିଲ୍ଲା ମା’ ସନ୍ତୋଷୀ କଳା ପ୍ରତିଷ୍ଠାନ ଦ୍ବାରା ଜନଜାତିଙ୍କ ଢେମ୍‌ସା ନୃତ୍ୟ, କେନ୍ଦୁଝର ଜିଲ୍ଲା ଆଦିମ ସଂସ୍କୃତି ସଂଗଠନ ପକ୍ଷରୁ ହୋ-ମୁଣ୍ଡା ନୃତ୍ୟ ଓ ସମ୍ବଲପୁରର ରଙ୍ଗଫୁରୁଆ ସଂଗଠନର କଳାକାରବୃନ୍ଦଙ୍କ ଦ୍ବାରା ସମ୍ବଲପୁରୀ ଢାପ୍ ବଜନିଆଁ ନୃତ୍ୟ ପରିବେଷିତ ହୋଇଥିଲା ।

ଏହା ପରେ ‘ସମୃଦ୍ଧ ଓଡ଼ିଶା-ଐତିହ୍ୟ ଓ ବିକାଶ’ର ବାର୍ତ୍ତା ବହନ କରୁଥିବା ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ। ମହିଳା ଓ ଶିଶୁ ବିକାଶର ସୁଭଦ୍ରା, ସ୍ବାସ୍ଥ୍ୟ ବିଭାଗର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା, ହସ୍ତତନ୍ତ, ବୟନ ବିଭାଗର ଭୌଗୋଳିକ ସୂଚକାଙ୍କ ମାନ୍ୟତାପ୍ରାପ୍ତ ଉତ୍ପାଦ, ମିସନ ଶକ୍ତି ବିଭାଗର ଉଦ୍ୟୋଗିତା ମାଧ୍ୟମରେ ମହିଳା ସଶକ୍ତୀକରଣ, କୃଷି ବିଭାଗର ସମୃଦ୍ଧ କୃଷକ ଯୋଜନା,ପଞ୍ଚାୟତିରାଜ ବିଭାଗର ଗ୍ରାମୀଣ ବିକାଶ କ୍ଷେତ୍ରରେ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ, ଗୃହ ଓ ନଗର ଉନ୍ନୟନ ବିଭାଗର ଉନ୍ନତ ସହରାଞ୍ଚଳ ପରିବହନ ବ୍ୟବସ୍ଥା, ଦକ୍ଷତା ବିକାଶ ବିଭାଗର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ପାରଦର୍ଶିତା, ପର୍ଯ୍ୟଟନ ବିଭାଗର ଐତିହ୍ୟ ଓ ପରିବେଶ ପର୍ଯ୍ୟଟନ, ବାଣିଜ୍ୟ ବିଭାଗର ମଲ୍‌ଟିମୋଡାଲ ସଂଯୋଗ-ପରିବର୍ତ୍ତନଶୀଳ ଯାତ୍ରା ଓ ମତ୍ସ୍ୟ ବିଭାଗର ମହାସାଗରରୁ ଟେବୁଲ ପର୍ଯ୍ୟନ୍ତ.. ଓଡ଼ିଶା ଚିଙ୍ଗୁଡ଼ିର ଯାତ୍ରା ସଂପର୍କିତ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ମହେଶ ରାହାଙ୍ଗଲେ ପ୍ରମୁଖ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ପରେଡ୍‌ କମାଣ୍ଡର ଶୁଭମ ଭୋସଲେ ପରେଡ୍‌ ପରିଚାଳନା କରିଥିଲେ। ଦ୍ବିତୀୟ ପରିଚାଳକ ଭାବେ ଡେପୁଟି କମାଣ୍ଡାଣ୍ଟ କୌଶିକ ନାୟକ ଓ ସ୍ବତନ୍ତ୍ର ଅଧିକାରୀ ଭବାନୀ ପ୍ରସାଦ ଜେନା ପରେଡ୍‌ ପରିଚାଳନାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *