ହଷ୍ଟେଲରୁ ୧୫ ଛାତ୍ର ପଳାଇଯିବା ଘଟଣା, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ବଣାଇଗଡ଼: ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ସିହିଡିଆ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରୁ ଗତ ୨୮ ତାରିଖ ରାତିରେ ୧୫ ଜଣ ଛାତ୍ର ଏକସାଙ୍ଗରେ ଫେରାର ହୋଇଯାଇଥିବା ଘଟଣାରେ ଗୁରୁବାର ବଣାଇ ବିଇଓ ସୁନୀଲ ମୁଣ୍ଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଛାତ୍ରମାନେ ମିଳିବା ପରେ ପଚରାଉଚରା କରାଯିବାରୁ ସେମାନଙ୍କ ପଳାଇଯିବା କାରଣ ସ୍ପଷ୍ଟ ହୋଇଥିଲା। ତଦନ୍ତ ପରେ ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ରୋଷେୟା ତଥା ପରିଚାରକ ଅମିତ କୁମାର ପାହୁଲେଙ୍କ ବ୍ୟବହାର ଭଲ ଲାଗୁ ନ ଥିଲା। ତେଣୁ ପଳାଇ ଯାଇଥିଲେ ବୋଲି ଛାତ୍ରମାନେ କହିଥିଲେ। ସମ୍ପୃକ୍ତ ବିଦ୍ୟାଳୟଟି ଗଣଶିକ୍ଷା ବିଭାଗର ହୋଇଥିଲେ ମଧ୍ୟ ଛାତ୍ରାବାସଟି ଆଦିବାସୀ ଉନ୍ନୟନ ବିଭାଗର ହୋଇଥିବାରୁ ତାଙ୍କ ବିଭାଗକୁ ତଦନ୍ତ ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ମୁଣ୍ଡୁ କହିଥିଲେ ।

ସୂଚନାଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟରେ ଥିବା ଆଦିବାସୀ ଛାତ୍ରାବାସରେ ସମୁଦାୟ ୩୭ ଜଣ ଛାତ୍ର ରହୁଥିଲେ। ସେମାନଙ୍କ ମଧ୍ୟରୁ ତୃତୀୟ, ଚତୁର୍ଥ ଓ ପଞ୍ଚମଶ୍ରେଣୀର ୧୫ ଜଣ କୋମଳମତି ଛାତ୍ର ସେଦିନ ରାତିରେ ଫେରାର ହୋଇଯାଇଥିଲେ। ପରେ ପାଟ୍ରୋଲିଂ କରୁଥିବା ବାରକୋଟ ପୁଲିସ ଦ୍ୱାରା ସେମାନେ ଉଦ୍ଧାରହେବା ପରେ ପୁଲିସ ବିଦ୍ୟାଳୟର ଶିକ୍ଷକଙ୍କ ଜିମାରେ ପିଲାମାନଙ୍କୁ ଛାଡ଼ିଥିଲା। ବୁଧବାର ଖବର ପ୍ରଚାରିତ ହେବା ପରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନଙ୍କ ନିର୍ଦେଶ ପାଇ ବଣାଇ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାବୁରାମ ମହାନ୍ତ ତଦନ୍ତ କରିଥିଲେ। ଅପରପକ୍ଷେ ଆଜି ଶିକ୍ଷା ବିଭାଗ ପକ୍ଷରୁ ବଣାଇ ବିଇଓ ଶ୍ରୀ ମୁଣ୍ଡୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *