
ଭଂଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ, ବିରୋଧୀ ଦଳର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଅପମାନ ସୂଚକ ମନ୍ତବ୍ୟର ପ୍ରତିବାଦ କଲା, ଭଂଜନଗର ବିଜେପି । ଏହି ଅବସରରେ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ , ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଦଳୀୟ କର୍ମୀଙ୍କ ଉପସ୍ଥିତରେ ଭଂଜନଗର ବସଷ୍ଟାଣ୍ଡ ଠାରେ ଉଭୟ ରାହୁଲ ଏବଂ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏନେଇ ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା ଯେ, ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ । ଏହି ବୟାନ କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ସେମାନଙ୍କର ନିରାଶା ତଥା ମହିଳା ବିରୋଧୀ ମାନସିକତାକୁ ପ୍ରତିଫଳିତ କରୁଛି । କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସସି-ଏସଟି-ଓବିସି ଏବଂ ମହିଳା ବିରୋଧୀ ରହିଆସିଛି । ପୁଣି ଥରେ ଆଜି କଂଗ୍ରେସ ସେହି ମାନସିକତାର ପରିଚୟ ଦେଇଛି । ଆଗରୁ ମଧ୍ୟ କଂଗ୍ରେସ ଦଳ ରାଷ୍ଟ୍ରପତି ଦୌପଦି ମୁର୍ମୁଙ୍କୁ ଅପମାନିତ କରିଥିଲା l ଅଯୋଧ୍ୟା ରାମମନ୍ଦିରକୁ ରାଷ୍ଟ୍ରପତି ଦର୍ଶନ କରିବା ପରଦିନ ଏହାକୁ ଗଙ୍ଗାଜଳରେ ଶୋଧନ କରିବା କଥା ବୋଲି କଂଗ୍ରେସର ଜଣେ ନେତା କହିଥିଲେ l ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ, କଂଗ୍ରେସ ନେତାମାନେ କେବେ ବି ସହି ପାରୁନାହାଁନ୍ତି । କଂଗ୍ରେସ କେବଳ ଦଳିତ ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି । ଜଣେ ମହିଳା ଏବଂ ଓଡ଼ିଶାକୁ ଅପମାନିତ କରିଛନ୍ତି । ଓଡିଶା ବାସି କେବେ ବି ଏହାକୁ ଗ୍ରହଣ କରିବେ ନାହିଁ l ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଦରକାର ବୋଲି, ଦଳ ପକ୍ଷରୁ କୁହାଯାଇଛି ।