ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ, ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ଗୃହ ମନ୍ତ୍ରଣାଳୟ ଏବଂ ଜମ୍ମୁ-କଶ୍ମୀର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ମଧ୍ୟ ଗତକାଲି ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ, ଯେଉଁଥିରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ କେନ୍ଦ୍ର ଗୃହ ସଚିବଙ୍କ ସମେତ ସେନା ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ। ମୋଦୀ ସରକାରଙ୍କ ନିରନ୍ତର ଓ ସମନ୍ୱିତ ପ୍ରୟାସ ଯୋଗୁଁ ଜମ୍ମୁ-କଶ୍ମୀରରେ ଆତଙ୍କବାଦର ପରିବେଶ ଯଥେଷ୍ଟ ଦୁର୍ବଳ ହୋଇଛି ବୋଲି ସେ କହିଥିଲେ। ଶୂନ୍ୟ ଅନୁପ୍ରବେଶ ଲକ୍ଷ୍ୟ ନେଇ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆଗେଇନେବାକୁ ଗୃହମନ୍ତ୍ରୀ ସମସ୍ତ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ସୁରକ୍ଷା ଏଜେନ୍ସି କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଅନୁପ୍ରବେଶ ଓ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆତଙ୍କବାଦୀଙ୍କ ଅସ୍ତିତ୍ୱକୁ ମୂଳପୋଛ କରିବା ଆମର ଲକ୍ଷ୍ୟ ହେବା ଉଚିତ ବୋଲି ସେ କହିଥିଲେ।ଶ୍ରୀ ଅମିତ ଶାହା କହିଛନ୍ତି ଯେ ନାର୍କୋ ନେଟୱାର୍କ ଅନୁପ୍ରବେଶକାରୀ ଏବଂ ଆତଙ୍କବାଦୀଙ୍କୁ ସେମାନଙ୍କ କାର୍ଯ୍ୟକଳାପ ଚଳାଇବାରେ ସହାୟତା ଯୋଗାଇ ଦେଉଛି । ନିଶା ଦ୍ରବ୍ୟ କାରବାରରୁ ଆସୁଥିବା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ନୂଆ ଅପରାଧିକ ଆଇନର ସମୟାନୁଯାୟୀ କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍)ରେ ନୂଆ ନିଯୁକ୍ତି ଦେବାକୁ ଅମିତ ଶାହା ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।ଆତଙ୍କବାଦ ମୁକ୍ତ ଜମ୍ମୁ-କଶ୍ମୀରର ଲକ୍ଷ୍ୟ ହାସଲ ପାଇଁ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତାର ମୋଦୀ ସରକାରଙ୍କ ନୀତି ଉପରେ ଶ୍ରୀ ଅମିତ ଶାହ ଗୁରୁତ୍ୱାରୋପ କରିଥିଲେ। ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମସ୍ତ ସୁରକ୍ଷା ଏଜେନ୍ସି ସଚେତନ ରହିବା ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ଜମ୍ମୁ-କଶ୍ମୀରରେ ସୁରକ୍ଷା ପରିସ୍ଥିତିର ସମସ୍ତ ମାନଦଣ୍ଡରେ ଉଲ୍ଲେଖନୀୟ ଉନ୍ନତି ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରୟାସକୁ ଗୃହମନ୍ତ୍ରୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *