ଦଙ୍ଗା ପ୍ରଭାବିତ ଆସନଗୁଡ଼ିରେ ବିଜେପି-ଆପକୁ ମିଶ୍ରିତ ଫଳାଫଳ

ନୂଆଦିଲ୍ଲୀ : ୨୦୨୦ରେ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ ଦଙ୍ଗା ହୋଇଥିଲା । ବେଶ କିଛି ଦିନ ଧରି ରାଜଧାନୀର କେତେକ ଅଂଚଳରେ ହିଂସାକାଣ୍ଡର ନିଆଁ ଲାଗିରହିଥିଲା। ଏହି ଦଙ୍ଗାରେ ଦିଲ୍ଲୀର ୬ଟି ବିଧାନସଭା ଆସନ ପ୍ରଭାବିତ ହୋଇଥିଲା। ଏଥର ବିଧାନସଭା ନିର୍ବାଚନରେ ସମସ୍ତ ୬ଟି ଆସନରେ ଭଲ ମତଦାନ ହୋଇଛି। ୬୦ରୁ ୭୦ ପ୍ରତିଶତ ମତଦାନ ହୋଇଛି। ଏଥର ଏହି ୬ଟି ଆସନରେ ବିଜେପି ଓ ଆପକୁ ମିଶ୍ରିତ ଫଳାଫଳ ମିଳିଛି । ଅର୍ଥାତ୍ ୩ଟି ବିଜେପିକୁ ଓ ୩ଟି ଆପ୍ ହାତକୁ ଯାଇଛି।ଘୋଣ୍ଡାରେ ଅଜୟ ମହାୱାରଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଆମ୍ ଆଦମୀ ପାର୍ଟିର ଗୌରବ ଶର୍ମାଙ୍କ ସହ ତାଙ୍କର ମୁକାବିଲା ହୋଇଥିଲା। ଏଠାରେ ଅଜୟ ମହାୱାର ୨୬,୦୫୮ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। କରାୱଲ ନଗରରେ ବିଜେପିର କପିଲ ମିଶ୍ର ଆପ୍ ପ୍ରାର୍ଥୀ ମନୋଜ କୁମାର ତ୍ୟାଗୀଙ୍କୁ ୨୩,୩୫୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ମୁସ୍ତାଫାବାଦରେ ଆମ୍ ଆଦମୀ ପାର୍ଟି ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି। ବିଜେପି ପ୍ରାର୍ଥୀ ମୋହନ ସିଂହ ବିଷ୍ଟ ଆପ୍ ପ୍ରାର୍ଥୀ ଆଦିଲ ଅହମ୍ମଦ ଖାନଙ୍କୁ ୧୭,୫୭୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।ବାବରପୁରରେ ଆପର ଗୋପାଳ ରାୟ ବିଜୟୀ ହୋଇଛନ୍ତି । ସେ ବିଜେପିର ଅନୀଲ ବଶିଷ୍ଠଙ୍କୁ ୧୮,୯୯୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଗୋକଳପୁରରେ ମଧ୍ୟ ଆମ୍ ଆଦମୀ ପାର୍ଟି ବିଜୟୀ ହୋଇଛି। ଆପ ପ୍ରାର୍ଥୀ ସୁରେନ୍ଦ୍ର କୁମାର ଏଠାରେ ପାଖାପାଖି ୮ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ସିଲମପୁରରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଚୌଧୁରୀ ଜୁବେର ଅହମ୍ମଦ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଅନୀଲ କୁମାର ଶର୍ମାଙ୍କୁ ୪୨,୪୭୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *