
ଭୁବନେଶ୍ବର: ରାଜଧାନୀରେ ଚିନ୍ତା ବଢ଼ାଇଲାଣି ମୋ ବସ୍ ଦୁର୍ଘଟଣା। ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି ମୋ ବସ୍ ଚାଳକମାନଙ୍କ ବେପରୁଆ ଚାଳନା। ୩ ମାସ ଭିତରେ ଘଟିଲାଣି ୭୦ରୁ ଅଧିକ ଦୁର୍ଘଟଣା, ଯେଉଁଥିରେ ୨ ମୁଣ୍ଡ ଗଡ଼ିଛି ଏବଂ ୨୮ରୁ ଅଧିକ ଭୟଙ୍କର ଦୁର୍ଘଟଣା ଘଟିଛି। ପୂର୍ବରୁ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ହେଁ ମୋ ବସ୍ ଦୁର୍ଘଟଣା ଥମିବା ନାଁ ନେଉନାହିଁ। ଏମିତିକି ବେପରୁଆ ଚାଳନା ପାଇଁ ୧୭ଜଣ ଚାଳକଙ୍କୁ ନିଲମ୍ବନ କରାଯାଇଥିଲେ ହେଁ କିଛି ସୁଫଳ ମିଳିନାହିଁ। ତେଣୁ ଆଜି କ୍ରୁଟ୍ ଓ କମିସନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ମାନସ ମନ୍ଥନ ହୋଇଛି। ମୋ ବସ୍ ଦୁର୍ଘଟଣା ପଛର କାରଣ କ’ଣ ଏବଂ କି ପ୍ରକାର ପଦକ୍ଷେପ ନେଲେ ଏହି ଦୁର୍ଘଟଣା ହ୍ରାସ ପାଇବ, ସେନେଇ ବ୍ୟାପକ ଆଲୋଚନା କରାଯାଇଛି ।
୩ ମାସରେ ନେଲାଣି ୨ମୁଣ୍ଡ, ହେଲାଣି ୭୦ରୁ ଅଧିକ ଦୁର୍ଘଟଣା ନିଲମ୍ବିତ ହେଲେଣି ୧୭ ଚାଳକ କ୍ରୁଟ୍, କମିସନରେଟ୍ ପୁଲିସର ମାନସ ମନ୍ଥନଆଜିର ବୈଠକରୁ ବାହାରିଥିବା ନିଷ୍କର୍ଷ ଅନୁସାରେ ମୋ ବସ୍ ଦୁର୍ଘଟଣା ପଛରେ ଅନେକ କାରଣ ରହିଛି। କେବଳ ଚାଳକମାନଙ୍କ ବେପରୁଆ ଚାଳନା ଦାୟୀ ନୁହେଁ। କିଛି ଡ୍ରାଇଭର୍ଙ୍କ ମଦ୍ୟପାନ କୁଅଭ୍ୟାସ, ମାନସିକ ଦୁଶ୍ଚିନ୍ତା, କାମ କରିବାର ଟାଇମ୍ ଲିମିଟ୍, ୮ ଘଣ୍ଟା ପରିବର୍ତ୍ତେ ଅଧିକ ସମୟ କାମ କରିବାକୁ ବାଧ୍ୟ ହେବା, ଦକ୍ଷ ଓ ଅଭିଜ୍ଞ ଡ୍ରାଇଭର୍ ଅଭାବ ଓ ଅପେକ୍ଷାକୃତ କମ୍ ଦରମା ଭଳି ବିଭିନ୍ନ କାରଣ ଆଲୋଚନାରେ ସ୍ଥାନ ପାଇଥିଲା। ସବୁ ପରେ ବି ଚାଳକମାନେ ଅଧିକ ସତର୍କ ହେବାକୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କ ଅପେକ୍ଷା ଚାଳକମାନେ ବେଶି ସଚେତନ ଓ ସତର୍କ ରହିବାକୁ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ପରାମର୍ଶ ଦେଇଛନ୍ତି। ଯାଞ୍ଚ ବେଳେ କେହି ନିୟମ ଉଲ୍ଲଂଘନ କଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ।
ସେ ଆହୁରି କହିଛନ୍ତି ଯେ ମଝିରେ ମଝିରେ ମୋ ବସ୍ ଚାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ, ଯେଉଁଥିରେ ସେମାନଙ୍କ ଆଖି ପରୀକ୍ଷା କରାଯିବା ସହ ମାନସିକ ଅବସ୍ଥା ପରଖିବାକୁ ପଡ଼ିବ। ସେହିଭଳି କ୍ରୁଟ୍ର ଏମ୍ଡି ଏମ୍ ତିରୁମାଲା ନାୟକ କହିଛନ୍ତି ଯେ ସହର ଭିତରେ ଓ ବାହାରେ ମୋ ବସ୍ର ସ୍ପିଡ୍ ଲିମିଟ୍ ଉପରେ ଅଧିକ ଫୋକସ ଦିଆଯିବ। ସହର ଭିତରେ ଘଣ୍ଟା ପ୍ରତି ୪୦ କିମି ବେଗ ଓ ସହର ବାହାରେ ଜାତୀୟ ରାଜପଥରେ ଏହା ୫୦ କିମି ରହିବ। ବ୍ୟାଟେରିଚାଳିତ ବସ୍ର ବେଗ ୩୫ କିମି ରହିବ। ଏଥିପାଇଁ ମୋ ବସ୍ଗୁଡ଼ିକରେ ସ୍ପିଡ୍ ବ୍ରେକର୍ ଲଗାଯାଇଛି। ତଥାପି ଦୁର୍ଘଟଣା ଘଟୁଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ। ସବୁ ଡିପୋରେ ବ୍ରେଥ୍ ଆନାଲାଇଜର୍ ରହିବ ଏବଂ ଗାଡ଼ି ଛାଡ଼ିବା ପୂର୍ବରୁ ଚାଳକମାନଙ୍କୁ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ସେହିଭଳି ମଝିରେ ମଝିରେ ଚାଳକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ କମିଟି ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ୩ ମାସ ଭିତରେ ୧୭ ଚାଳକଙ୍କୁ ନିଲମ୍ବିତ କରାଯାଇଛି। ତେଣୁ କୌଣସି ଚାଳକ ବେପରୁଆ ହେବା ପ୍ରମାଣ ମିଳିଲେ, ଅନୁରୂପ ଦଣ୍ଡବିଧାନ କରାଯିବ। ଆଜିର ବୈଠକରେ ଆଡିସିନାଲ୍ ସିପି ଉମାକାନ୍ତ ଦାଶ, ଡିସିପି ପିନାକ ମିଶ୍ର, ଡିସିପି ଟ୍ରାଫିକ୍ ତପନ ମହାନ୍ତି, କ୍ରୁଟ୍ ଜିଏମ୍ ସଂଜୟ କୁମାର ବିଶ୍ବାଳ ଓ ୨୦୦ରୁ ଅଧିକ ଚାଳକ ଯୋଗ ଦେଇଥିଲେ ।