
ଭଞ୍ଜନଗର/ ଚକାପାଦ (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ସେଦିନ ତାରିଖ ଥିଲା ୧୫ ଫେବୃଆରୀ ୨୦୦୮ । ନୟାଗଡ଼ ପୋଲିସ ଅସ୍ତ୍ରାଗାର ରୁ ଶହ ଶହ ବନ୍ଧୁକ ଲୁଟିନେଇ ଥାନାକୁ ଅକ୍ତିଆର କରିନେଇଥିଲେ ଶହ ଶହ ମାଓବାଦୀ । ନୟାଗଡ଼ ଥାନାରେ ବିଧ୍ୱଂସ ରଚିବା ପରେ ସମଗ୍ର ନୟାଗଡ଼ରେ ଆତଙ୍କ ଖେଳାଇ ଦୁଇଟି ମିନି ଟ୍ରକ ରେ ଲୁଟ୍ ବନ୍ଧୁକ ଧରି ଦଶପଲ୍ଲା ରାସ୍ତା ଦେଇ ଗଞ୍ଜାମ ଅଭିମୁଖେ ଆସିଥିଲେ ମାଓବାଦୀ । ଗଞ୍ଜାମ ଜିଲ୍ଲା ଗାଲେରୀ ପୋଲିସ ଫାଣ୍ଡି କୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ସମଗ୍ର ଗଞ୍ଜାମ ଜିଲ୍ଲାରେ ସେହି ସମୟରେ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା । ପୋଲିସ ଏବଂ ପ୍ରଶାସନକୁ ମାଓ ଦମନ ସେହି ସମୟରେ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଯାଇଥିଲା । ଶହ ଶହ ମାଓବାଦୀ ବଦାଙ୍ଗୀ – ଚକାପାଦ ରାସ୍ତା, ରାଣିକିଆରି – କୁପାଟି ରାସ୍ତା ଏବଂ କଳିଙ୍ଗା ଘାଟି ରାସ୍ତା ଦେଇ କନ୍ଧମାଳରେ ପ୍ରବେଶ କରିଥିଲେ । ରାଣିକିଆରି – କୁପାଟି ରାସ୍ତାର ଗଞ୍ଜାମ – କନ୍ଧମାଳ ସୀମାନ୍ତ ଗସାମାହା ଠାରେ ମାଓବାଦୀ ମାନେ ଏକତ୍ରିତ ହୋଇଥିଲେ ଏବଂ ଲୁଟ୍ କରି ଆଣିଥିବା ଅସ୍ତ୍ରଶସ୍ତ୍ର ସବୁ ଗଚ୍ଛିତ କରି ରଖିଥିଲେ । ଗସାମାହାକୁ ମାଓବାଦୀ ନିଜର ଆଡ୍ଡା କରିବା ପଛରେ କାରଣ ଥିଲା ପାହାଡିଆ ରାସ୍ତା ଏବଂ କଷ୍ଟସାଧ୍ୟ ଗନ୍ତବ୍ୟ ପଥ ।
ତା ପରଦିନ ଅର୍ଥାତ୍ ୧୬ ଫେବୃଆରୀ ଦିନ ଶହ ଶହ ପୋଲିସ, ଏସଓଜି ଯବାନ, ସିଆରପିଏଫ୍ ଘେରି ଯାଇଥିଲେ ଗସାମାହା ଅଞ୍ଚଳରେ ମାଓ କ୍ୟାମ୍ପକୁ । ଦୀର୍ଘ ଦିନ ଧରି ସେହି ଅଞ୍ଚଳରେ ମାଓ ଅପରେସନ ଚାଲୁ ରଖାଗଲା ଫଳରେ ମାଓବାଦୀ ସେହି ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଥିଲେ । ଅପରେସନରେ ବହୁ ମାଓବାଦୀ ନିହତ ହୋଇଥିଲେ ଏବଂ ୩ ଜଣ ଏସଓଜି ଯବାନ ମଧ୍ୟ ଶହୀଦ ହୋଇଥିଲେ । ସେହି ଘଟଣାକୁ ଆଜି ୧୭ ବର୍ଷ ପୁରିଛି । ତଥାପି ସେହି ଅଞ୍ଚଳରେ ଆଜି ମଧ୍ୟ ଭଗ୍ନ ଅବଶେଷ ସେହି ନର ସଂହାର ର ତାଣ୍ଡବକୁ ମନେ ପକାଇ ଦେଉଛି ।
୧୭ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇଯାଇଛି । ମାଓ ଅଞ୍ଚଳ ଭାବେ ପରିଚିତ ହୋଇଯିବାରୁ ସେହି ଅଞ୍ଚଳର ଶିକ୍ଷା, ଗମନାଗମନ, ସ୍ଵାସ୍ଥ୍ୟ, ବିଜୁଳି ସୁବିଧା, କୃଷି ଜଳସେଚନ ଏବଂ ପାନୀୟ ଜଳ ସମସ୍ୟା ସରକାରୀ ସ୍ତରରେ ଅଣଦେଖା ହୋଇ ଚାଲିଲା । ସେହି ଅଞ୍ଚଳକୁ କୌଣସି ସରକାରୀ ଅଧିକାରୀ ଯିବାକୁ ସାହସ କଲେ ନାହିଁ । ତେଣୁ ଆଜି ମଧ୍ୟ ଝରଣା ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି । ଆମ୍ବୁଲାନ୍ସ ସୁବିଧା ନଥିବାରୁ ଗୁରୁତର ରୋଗୀ ଓ ପ୍ରସବା ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି । କନ୍ଧମାଳ ଗଞ୍ଜାମ ସୀମାନ୍ତ ରାସ୍ତା ଘାଟ, ସେତୁ କିଛି ମାତ୍ରାରେ ନିର୍ମାଣ ହେବା ପରେ ଅବସ୍ଥା ସୁଧୁରୁଛି । କିଛି ଲୋକଙ୍କୁ ଆବାସ ଯୋଜନାରେ ସରକାରୀ ଆବାସ ମିଳିଛି । ତଥାପି ସେହି ଅଞ୍ଚଳର ସାମଗ୍ରିକ ବିକାଶ ଯେତିକି ହେବା କଥା ତାହା ହୋଇପାରି ନାହିଁ । ଆଜି ମଧ୍ୟ ସେହି ଅଞ୍ଚଳରେ ମାଓ ଚଳପ୍ରଚଳ ରହିଥିବା ସ୍ଥାନୀୟ ଲୋକେ ଏବଂ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ପୋଲିସ ପ୍ରଶାସନ ଉକ୍ତ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିଥିବା କହୁଛନ୍ତି । ଆଗାମୀ ଦିନରେ ଅଞ୍ଚଳର ସାମଗ୍ରିକ ବିକାଶ କିପରି ହେଉଛି ତାହା ଦେଖିବାକୁ ରହିଲା ।