
ନୂଆଦିଲ୍ଲୀ: ଦିଲ୍ଲୀ ପାଇଲା ମହିଳା ମୁଖ୍ୟମନ୍ତ୍ରୀ । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି । ଯେତେବେଳେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା ସେତେବେଳେ ହିଁ ରେଖା ଗୁପ୍ତାଙ୍କ ନାଁ ଘୋଷଣା କରିଛି ବିଜେପି । ରେଖା ଗୁପ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସେ ଦିଲ୍ଲୀର ଦାୟିତ୍ବ ନେବାକୁ ଶପଥ ଗ୍ରହଣ କରିବେ ।ତେବେ ପୂର୍ବରୁ ସୁଷମା ସ୍ବରାଜ ମାତ୍ର ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ୧୨ ଅକ୍ଟୋବର ୧୯୯୮ରୁ ୩ ଡିସେମ୍ବର ୧୯୯୮ ମାତ୍ର ୫୨ ଦିନ ଯାଏଁ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସୁଷମା । ଆଉ ଦୀର୍ଘ ୨୭ ବର୍ଷ ପରେ ଅର୍ଥାତ ୨୦୨୫ରେ ହିଁ ପୁଣି ଥରେ ବିଜେପି ଦିଲ୍ଲୀରେ ସରକାର ଗଢିବା ପରେ ଫେବୃୟାରୀ ୨୦ରେ ହିଁ ରେଖା ଗୁପ୍ତା ଦିଲ୍ଲୀ ଆଉ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।ତେବେ ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବେ । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟିର ଆତିଶୀ ମାର୍ଲେନା, ୧୫୨ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିବା ବେଳେ ଶୀଲା ଦୀକ୍ଷିତ ସବୁଠୁ ଦୀର୍ଘତମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଶାସନ ଭାର ସମ୍ଭାଳିଥିଲେ । ଶୀଲା କଂଗ୍ରେସ ସରକାରରେ ୧୫ ବର୍ଷ ୨୫ ଦିନ ଦିଲ୍ଲୀର ଦାୟିତ୍ବ ନେଇଥିଲେ । ପ୍ରଥମେ ସୁଷମା, ପରେ ଶୀଲା, ତାପରେ ଆତିଶୀ ଏବଂ ଏବେ ଦିଲ୍ଲୀ ଗାଦିରେ ବସିଛନ୍ତି ଆଉ ଜଣେ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।