
ଭୁବନେଶ୍ବର: କିଟ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳ ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଆଜି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିବା ସହ ହଷ୍ଟେଲରେ ଥିବା ନେପାଳର ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କେବଳ ନେପାଳର ଛାତ୍ରଛାତ୍ରୀଙ୍କ ପାଇଁ ସାଇନ୍-ଏ-ଡାଏ ଘୋଷଣା ହେବା ଏବଂ ସେମାନଙ୍କୁ କ୍ୟାମ୍ପସରୁ ବଳପୂର୍ବକ ବହିଷ୍କାର କରିବା ଆଦି ବିଷୟରେ ତଦନ୍ତ କରାଯିବ। ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଓ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଉକ୍ତ କମିଟି ବିସ୍ତୃତ ତଦାରଖ କରିବ।କ୍ୟାମ୍ପସ ଛାଡ଼ି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ୨୪x୭ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଏଥିପାଇଁ ୪ଟି ହେଲ୍ପଲାଇନ୍ ନମ୍ବର ୦୬୭୪-୨୩୬୫୫୦, ୦୬୭୪-୨୩୨୩୪୦୧, ୦୬୭୪-୨୩୨୩୪୦୨, ୦୬୭୪-୨୩୨୩୪୦୩ ଓ ହ୍ୱାଟ୍ସଆପ୍ ନମ୍ବର ୯୧୨୪୬୨୦୬୦୫ ଜାରି ହୋଇଛି। ଛାତ୍ରଛାତ୍ରୀଙ୍କୁ ସମନ୍ବିତ ପରାମର୍ଶ ପ୍ରଦାନ ପୂର୍ବକ ସେମାନଙ୍କର ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ବିଭାଗ ପକ୍ଷରୁ ଅଭିଜ୍ଞ ପରାମର୍ଶଦାତା ନିୟୋଜିତ କରାଯିବ। କ୍ୟାମ୍ପସ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଓ କ୍ୟାମ୍ପସରେ ରହୁଥିବା ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପ୍ରୟାସ କରୁଛି ବୋଲି ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।ଅନ୍ୟପକ୍ଷରେ ମୃତ ଛାତ୍ରୀଙ୍କ ନାମରେ କିଟ୍ରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି ।
ପ୍ରକୃତିଙ୍କ ବାପାଙ୍କ ପ୍ରସ୍ତାବକ୍ରମେ ଏହି ମେଧାବୃତ୍ତି ପ୍ରଦାନ କରାଯିବ। ପ୍ରକୃତିଙ୍କ ମୃତଦେହକୁ ତାଙ୍କ ବାପା ଓ ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀ ସାମନ୍ତ ସେମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏଭଳି ଦୁଃଖଦ ଘଟଣାରେ ଶ୍ରୀ ସାମନ୍ତ ଦୁଃଖପ୍ରକାଶ କରିବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି। ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଆସିଥିବା ଦୁଇ ଅଧିକାରୀ କିଟ୍ରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେମାନଙ୍କୁ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି। ଯେଉଁଥିପାଇଁ ଘରକୁ ଫେରିଯାଇଥିବା ଅନେକ ଛାତ୍ରଛାତ୍ରୀ କିଟ୍କୁ ଫେରିଛନ୍ତି। ଆଜି ନେପାଳ ପ୍ରୋଭିନ୍ସ-୨ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲ୍ବାବୁ ରାଉତଙ୍କ ସହ ଶ୍ରୀ ସାମନ୍ତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ଫେରି ନାହାନ୍ତି ସେମାନଙ୍କୁ ଆଣିବାକୁ କିଟ୍ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା କୁହାଯାଇଛି। ସେହିପରି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅର୍ଜୁ ରାଣା ଦେଉବା, ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ ଯାଦବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଶ୍ରୀ ସାମନ୍ତ ଆଲୋଚନା କରି ପିଲାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଏଭଳି ସ୍ଥିତିରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ କିଟ୍ ପ୍ରତିଷ୍ଠାତା ସେମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବାକୁ କାହିଁକି ଆସୁନାହାନ୍ତି ବୋଲି ନେପାଳୀ ଛାତ୍ରଛାତ୍ରୀମାନେ ଜିଦ୍ ଧରି ବସିଛନ୍ତି। ଯେଉଁଥିପାଇଁ କିଛି ନେପାଳୀ ଛାତ୍ରଛାତ୍ରୀ ଧାରଣା ଦେଉଛନ୍ତି। କୌଣସି ପ୍ରାଶାସନିକ ଅଧିକାରୀଙ୍କ ଆଶ୍ବାସନା ପାଇବା ପରିବର୍ତ୍ତେ ଶ୍ରୀ ସାମନ୍ତଙ୍କ ସହିତ ମୁହାଁମୁହିଁ ଆଲୋଚନା କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ଘଟଣାର ନିରପେକ୍ଷ ତଦନ୍ତ ସହିତ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଗିରଫ ଦାବିରେ ବିଭିନ୍ନ ଛାତ୍ର ସଙ୍ଗଠନ କିଟ୍ ମୁଖ୍ୟ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଆଜି ଭୋର୍ ସମୟରେ ନବନିର୍ମାଣ କୃଷକ ଛାତ୍ର ସଂଗଠନକୁ ଶ୍ରୀ ସାମନ୍ତ ଭେଟିବା ସହ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଏହାପରେ ଆଉ ୪ଟି ସଙ୍ଗଠନ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ଯେଉଁଥିପାଇଁ କ୍ୟାମ୍ପସ୍ର ସୁରକ୍ଷା ପାଇଁ ସେଠାରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ସୂଚନା ମିଳିଛି ।
ଉଚ୍ଚଶିକ୍ଷା ବିଭାଗ ଜାରି କଲା ହେଲ୍ପଲାଇନ୍ ନମ୍ବରମୃତ ଛାତ୍ରୀଙ୍କ ନାମରେ ଘୋଷଣା ହେଲା ମେଧାବୃତ୍ତିନେପାଳର ଦୁଇ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀଭୁବନେଶ୍ବର: କିଟ୍ ମାମଲାରେ ନେପାଳର ଦୁଇ କାଉନ୍ସେଲର ସଞ୍ଜୀବ ଦାସଶର୍ମା, ନବୀନରାଜ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ସହ କ୍ୟାମ୍ପସ୍ରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନକୁ ଫେରି ଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ସୋସିଆଲ୍ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହାସହ ଦୁଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସୂର୍ଯ୍ୟବଂଶୀ ସୂରଜ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ନେପାଳର ଦୁଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ‘ଏକ୍ସ’ରେ ସୂଚନା ଦେଇ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଏହାସହ ନେପାଳର ବୈଦେଶିକ ମନ୍ତ୍ରୀ ଅର୍ଜୁ ରାଣା ଦେଉବାଙ୍କୁ ଭିଡିଓ କଲ୍ ମାଧ୍ୟମରେ ଘଟଣାରେ ନିରପେକ୍ଷ ତଦନ୍ତ ସହ ନେପାଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଓଡ଼ିଶା ମାଟି ବସୁଧୈବ କୁଟୁମ୍ବକମ୍ ବିଚାରରେ ବିଶ୍ବାସ ରଖେ। ମୃତ ଛାତ୍ରୀଜଣକ କେବଳ ନେପାଳର ଝିଅ ନୁହନ୍ତି, ସେ ଓଡ଼ିଶା ମାଟିର ମଧ୍ୟ ଝିଅ। ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି। ନେପାଳ-ଭାରତ ସୁସଂପର୍କ ବଜାୟ ରହିବ ବୋଲି ବିଶ୍ବାସ ଦେଉଛୁ। ଏହି ସମ୍ବେଦନଶୀଳ ମୁହୂର୍ତ୍ତରେ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ଓ ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରଙ୍କ ତ୍ବରିତ ପଦକ୍ଷେପରେ ନେପାଳର ବୈଦେଶିକ ମନ୍ତ୍ରୀ ତଥା ସରକାର ସନ୍ତୋଷ ବ୍ୟକ୍ତ କରିଥିବା ଶ୍ରୀ ସୂରଜ କହିଛନ୍ତି ।