ସୁଭଦ୍ରା ଶକ୍ତି ମେଳା ୨୦୨୫: ୬ ଦିନରେ ବ୍ୟବସାୟ ୨ କୋଟିରୁ ଅଧିକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ସୁଭଦ୍ରା ଶକ୍ତି ମେଳା ୨୦୨୫ ହଜାର ହଜାର ଦର୍ଶକଙ୍କ ପାଇଁ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ଉତ୍ପାଦର ଏକ କେନ୍ଦ୍ର ସାଜିଥିବା ବେଳେ, ମିଲେଟ୍-ଆଧାରିତ ସ୍ନାକ୍ସ୍ ଓ ନାନା ରକମର ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ଜନସମୂହଙ୍କୁ ଆକର୍ଷିତ କରୁଛି।ମେଳାର ୬ଷ୍ଠ ଦିନରେ ପରିଦର୍ଶକଙ୍କ ମଧ୍ୟରେ ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀର ଚାହିଦା ଥିଲା । ଗଜପତି ମୋହନା ବ୍ଲକ୍ ର ନିବେଦିତା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଅର୍ଗାନିକ୍ ହାତ ଧୋଇବା ସାବୁନ, ବାସନ ଧୋଇବା ସାବୁନ ଏବଂ ଡିଟରଜେଣ୍ଟ୍ ଦର୍ଶକଙ୍କୁ ବେଶ ଆଦୃତ କରିଥିଲା । ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଘରୋଇ ଉତ୍ପାଦ ଗୁଡିକ ପ୍ରତି ଆଗ୍ରହ ଏହି କ୍ଷେତ୍ରରେ ମହିଳା ଉଦ୍ୟୋଗୀ ମାନଙ୍କ ବ୍ୟବସାୟର ଅଭିବୃଦ୍ଧିକୁ ଦର୍ଶାଉଛି ।ପ୍ରତିଦିନ ସୁଭଦ୍ରା ଶକ୍ତି ମେଳା ୨୦୨୫ ନୂତନ ମାନଦଣ୍ଡ ସ୍ଥାପନ କରିବା ଜାରି ରଖିଛି। ୬ଷ୍ଠ ଦିନ ଶେଷ ସୁଦ୍ଧା, ମୋଟ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ ବୁଲି ଥିବା ବେଳେ ସମୁଦାୟ ₹୨ କୋଟିରୁ ଅଧିକ ବିକ୍ରୟ ରେକର୍ଡ୍ କରାଯାଇଥିଲା ଯାହା କ୍ରେତାମାନଙ୍କ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦଗୁଡ଼ିକର ଅଭୂତପୂର୍ବ ଚାହିଦା ଏବଂ ବୃଦ୍ଧି ପାଉଥିବା ସ୍ୱୀକୃତିକୁ ଦର୍ଶାଉଛି ।

Leave a Reply

Your email address will not be published. Required fields are marked *