
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଦିନକୁ ଦିନ ଚୋରାରେ ଗଞ୍ଜେଇ ଚାଲାଣ ବଢ଼ି ଚାଲିଛି । ଏଣୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ମଧ୍ୟ କରାଯାଉଛି । ବୁଧବାର ଭଞ୍ଜନଗର ଥାନା ଏସଆଇ ଏସ. ମଗର ଭଞ୍ଜନଗର ଥାନାର ଅନ୍ୟ କର୍ମଚାରୀ ମାନଙ୍କ ସହ ମୁଜାଗଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ହୋଣ୍ଡା ଏସପି ୧୨୫ ମୋଟର ସାଇକେଲ (ଗାଡ଼ି ନଂ- ଓଡ଼ି ୦୨ ଡିବି ୦୧୦୬) ସାହାଯ୍ୟରେ ଦୁଇ ଜଣ ଯୁବକ ଏକ ବସ୍ତା ନେଇ ଯାଉଥିବା ବେଳେ ଯାଞ୍ଚ ସମୟରେ ତାହା ଗଞ୍ଜେଇ ବୋଲି ଜଣା ପଡିଥିଲା । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବା ସହ ବସ୍ତା ଭିତରେ ଥିବା ୨୨.୩୯୦ କି. ଗ୍ରା. ଗଞ୍ଜେଇ ଏବଂ ବ୍ୟବହୃତ ମୋଟର ସାଇକେଲକୁ ଜବତ କରିଥିଲା । ଗିରଫ ଦୁଇ ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଧୀନ ନୂଆସାହି ଗ୍ରାମର ନିହାର ରଞ୍ଜନ ବେହେରା (ପିତା – ସ୍ବର୍ଗତ ଚେରା ବେହେରା) ଏବଂ ସଂଗ୍ରାମ ଦଳପତି (ପିତା – ମଧୁ ଦଳପତି) । ଭଞ୍ଜନଗର ପୋଲିସ କେସ ନଂ ୨୩୨/୨୦୨୫ ରୁଜୁ କରି ଉଭୟଙ୍କୁ ନିଦ୍ରା ଔଷଧି ଏବଂ ମାନସିକ ପ୍ରଭାବୀ ଦ୍ରବ୍ୟ ଆଇନ ୧୯୮୫ (ନାର୍କୋଟିକ୍ସ ଡ୍ରଗସ୍ ଆଣ୍ଡ ସାଇକୋଟ୍ରପିକ ସବଷ୍ଟଂସ୍ ଆକ୍ଟ) ସେକ୍ସନ ୨୦ (ଖ) ଏବଂ ୨୦ (ଗ) ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।