ଭଞ୍ଜନଗର: ରାଜକୋଷକୁ ଯିବା ପୂର୍ବରୁ ଜିଏସଟି ବାଟମାରଣା; କଣ୍ଟ୍ରାକ୍ଟର ମାଲାମାଲ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଜକୋଷକୁ ରାଜସ୍ବ ଆସିବାର ବିଭିନ୍ନ ମାଧ୍ୟମ ମଧ୍ୟରୁ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି ହେଉଛି ଏକ ପ୍ରମୁଖ ମାଧ୍ୟମ । ସିଜିଏସଟି ଆକ୍ଟ୍ ସେକ୍ସନ ୨୩ ଅନୁସାରେ ଯେଉଁ ବ୍ୟବସାୟୀ ମାନେ ଦ୍ରବ୍ୟ ବା ବସ୍ତୁ ବିକ୍ରି କରୁଥିବେ, ଆଉ ସେମାନଙ୍କ ବ୍ୟବସାୟର ବାର୍ଷିକ କାରବାର ୪୦ ଲକ୍ଷ ଟଙ୍କା କିମ୍ବା ତଦୁର୍ଦ୍ଧ୍ବ ରହିଥିବ ଏବଂ ଯେଉଁ ବ୍ୟବସାୟୀ ମାନେ ସେବା ବିକ୍ରି କରୁଥିବେ, ଆଉ ସେମାନଙ୍କ ବ୍ୟବସାୟର ବାର୍ଷିକ କାରବାର ୨୦ ଲକ୍ଷ ଟଙ୍କା କିମ୍ବା ତଦୁର୍ଦ୍ଧ୍ବ ରହିଥିବ, ସେମାନେ ଜିଏସଟି ପଞ୍ଜୀକୃତ କରିବା ବାଧ୍ୟତାମୂଳକ ଅଟେ । ଏତଦ୍ ଭିନ୍ନ ବ୍ୟବସାୟୀ ମାନେ ଜିଏସଟି ପଞ୍ଜିକରଣ ପାଇଁ ବାଧ୍ୟତାମୂଳକ ବାର୍ଷିକ କାରବାର ସୀମା ଅତିକ୍ରମ କରିନଥିଲେ ମଧ୍ୟ ନିଜ ବ୍ୟବସାୟ ନିମନ୍ତେ ସ୍ଵେଚ୍ଛାକୃତ ଭାବେ ଜିଏସଟି ପଞ୍ଜୀକୃତ କରିପାରିବେ । କିନ୍ତୁ କର୍ମଚାରୀ ଅଭାବ ଏବଂ ଜିଏସଟି ଏନଫୋର୍ସ ଟିମ୍ ସବୁ ସ୍ଥାନକୁ ପହଞ୍ଚି ପାରୁନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । କିଛି ବ୍ୟବସାୟୀଙ୍କ ବାର୍ଷିକ କାରବାର ଜିଏସଟି ପଞ୍ଜିକରଣ ପାଇଁ ଆବଶ୍ୟକ ସୀମା ଅତିକ୍ରମ କରୁଥିବା ବେଳେ ସେମାନେ ଜିଏସଟି ପଞ୍ଜିକରଣ ନକରି ସରକାରଙ୍କୁ ଟିକସ ଫାଙ୍କୁଛନ୍ତି । ଆଉ କିଛି ବ୍ୟବସାୟୀ ଜିଏସଟି ପଞ୍ଜିକରଣ କରିଥିଲେ ସୁଦ୍ଧା ସମସ୍ତ ବିକ୍ରୟ ବିଲ ଜିଏସଟି ରିଟର୍ଣ୍ଣ୍ ଫାଇଲ ବେଳେ ସରକାରଙ୍କୁ ଦର୍ଶାଉ ନାହାଁନ୍ତି ଏବଂ ସରକାରଙ୍କୁ ଟିକସ ଫାଙ୍କୁଛନ୍ତି । କିଛି ଅସାଧୁ ବ୍ୟବସାୟୀ ଜିଏସଟି ପଞ୍ଜିକରଣ କରି ଫାଇଲ କରୁନାହାନ୍ତି ଏବଂ ଜିଏସଟି ପଞ୍ଜିକରଣ ରଦ୍ଦ ହେଲାପରେ ମଧ୍ୟ ସେହି ଜିଏସଟି ନଂ ବ୍ୟବହାର କରି ବ୍ୟବସାୟ କରୁଛନ୍ତି, ସାଧାରଣ ଗ୍ରାହକ ସେଗୁଡିକୁ ଯାଞ୍ଚ କରୁନଥିବା ବେଳେ ସରକାରଙ୍କ ପାଖକୁ ମଧ୍ୟ ଟିକସ ପହଞ୍ଚି ପାରୁନାହିଁ ।

ସିମେଣ୍ଟ, ଲୁହା ଛଡ଼ ଏବଂ ହାର୍ଡୱେର ଉପକରଣ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଅସାଧୁ ଉପାୟର ଆଉ କିଛି ପାଦ ଆଗରେ ରହୁଛନ୍ତି । ସାଧାରଣ ଗ୍ରାହକଙ୍କୁ ଜିନିଷ ବିକ୍ରୟ କଲା ବେଳେ କମ୍ପ୍ୟୁଟରାଇଜଡ୍ ବିଲ ଦେଉ ନାହାଁନ୍ତି, ହାତ ଲେଖା କିମ୍ବା ଚିରକୁଟ ରେ ଜିନିଷର ନାମ ଏବଂ ଦାମ୍ ଲେଖି ଧରାଇଦେଉଛନ୍ତି । ସାଧାରଣ ଗ୍ରାହକ, ବ୍ୟବସାୟୀ ମାନଙ୍କୁ ଏନେଇ ପ୍ରଶ୍ନ କରୁନଥିବା ବେଳେ ବ୍ୟବସାୟୀ ମାନେ ସେହି ଜିନିଷର ବିଲ ଗୁଡ଼ିକ କଣ୍ଟ୍ରାକ୍ଟର ମାନଙ୍କ ପାଇଁ ସାଇତି ରଖିଥାନ୍ତି । କଣ୍ଟ୍ରାକ୍ଟର ମାନେ କୌଣସି ସରକାରୀ କିମ୍ବା ବେସରକାରୀ କାମକୁ ଅଳ୍ପ ଖର୍ଚ୍ଚରେ କରି ଅଧିକ ବିଲ ଦେଖାଇବା ପାଇଁ ଏହି ଅସାଧୁ ବ୍ୟବସାୟୀ ମାନଙ୍କ ସାହାରା ନେଇ ଥାଆନ୍ତି । ଅସାଧୁ ବ୍ୟବସାୟୀ ମାନେ କଣ୍ଟ୍ରାକ୍ଟର ମାନଙ୍କୁ ବର୍ଦ୍ଧିତ ପରିମାଣର ଜିନିଷ ବିକ୍ରୟ କରିନଥିବା ବେଳେ କଣ୍ଟ୍ରାକ୍ଟର ମାନଙ୍କଠାରୁ କିଛି ଲାଞ୍ଚ (ପର୍ସେଣ୍ଟେଜ୍) ଏବଂ ସରକାରଙ୍କୁ ଦେବାକୁ ଥିବା ଜିଏସଟି ମୂଲ୍ୟକୁ ରଖି ବାକି ଟଙ୍କା କଣ୍ଟ୍ରାକ୍ଟର ମାନଙ୍କୁ ଫେରାଇ ଦିଅନ୍ତି । ଏଥିରେ ଉଭୟ ଅସାଧୁ ବ୍ୟବସାୟୀ ଏବଂ କଣ୍ଟ୍ରାକ୍ଟର ମାଲାମାଲ୍ ହୁଅନ୍ତି । ସରକାରଙ୍କ ରାଜକୋଷକୁ ଆସିବା ପୂର୍ବରୁ ଜିଏସଟି ବାଟମାରଣା ହୁଏ ।

ସୁନା ଗହଣା ବ୍ୟବସାୟୀ ମାନେ ଏବଂ ଲୁଗା ଦୋକାନୀ ମାନେ ମଧ୍ୟ ସାଧାରଣ ଗ୍ରାହକ ମାନଙ୍କୁ ଜିଏସଟି ବିଲ ଦେବା କ୍ଵଚିତ ଦେଖାଯାଏ । ଯାହା ଦ୍ଵାରା ସରକାରଙ୍କ ପାଖକୁ ଆବଶ୍ୟକ ଟିକସ ପହଞ୍ଚିପାରେ ନାହିଁ । ସମସ୍ତଙ୍କ ନଜର ଆଢ଼ୁଆଳରେ ରହିଯାଉଛନ୍ତି ଟେଣ୍ଟ ହାଉସ ମାଲିକ । କେତୋଟି ବିବାହ, ବ୍ରତ କାର୍ଯ୍ୟକ୍ରମରେ ଟେଣ୍ଟ ଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ, ଲାଇଟ୍ ଏବଂ ସାଉଣ୍ଡ ସିଷ୍ଟମ ଭଡ଼ା ଦେଉଛନ୍ତି ନା କାହାକୁ ବିଲ ଦେଉଛନ୍ତି, ନା କିଛି ହିସାବ ଅଛି । ଇଭେଣ୍ଟ ଆୟୋଜନ କରିବାକୁ ଲକ୍ଷାଧିକ ଟଙ୍କା ଗ୍ରାହକଙ୍କ ଠାରୁ ଆଦାୟ କରୁଥିବା ବେଳେ ସେଥିରୁ କୌଣସି ଟିକସ ସରକାରଙ୍କ ପାଖକୁ ଯାଏ ନାହିଁ ।

ଜିଏସଟି ଏବଂ ଭାଟ୍ ପଞ୍ଜିକରଣ କରୁଥିବା ସମସ୍ତ ବ୍ୟବସାୟୀ ପ୍ରତିବର୍ଷ ସରକାରଙ୍କୁ ବୃତ୍ତି ଟିକସ ବା ପ୍ରଫେସନାଲ ଟ୍ୟାକ୍ସ ୨୫୦୦ ଟଙ୍କା ପ୍ରଦାନ କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଅଧିକାଂଶ ବ୍ୟବସାୟୀ ତାହା କରୁନାହାନ୍ତି ।

ଏହି ପରି ଅସାଧୁ ବ୍ୟବସାୟୀ ଟିକସ ଫାଙ୍କିବା ନୂଆଁ କଥା ନୁହେଁ ଏବଂ ଏହା କେବଳ ଭଞ୍ଜନଗର ସର୍କଲ ରେ ନୁହେଁ ସମୂର୍ଣ୍ଣ ଭାରତରେ ପରିଲକ୍ଷିତ ହେଉଛି ।

ପୋଲିସ, ବାଣିଜ୍ୟ କର ଏବଂ ପରିବହନ ବିଭାଗ ବିଭିନ୍ନ ସମୟରେ ମାଲବାହୀ ଗାଡ଼ି ଗୁଡ଼ିକୁ ଅଟକାଇ ପରିବହନ କରାଯାଉଥିବା ଜିନିଷର କମ୍ପ୍ୟୁଟରାଇଜଡ୍ ଜିଏସଟି ଇନଭଏସ୍ ଏବଂ ଇ-ୱେ ବିଲ ଯାଞ୍ଚ କରୁଥିବା ବେଳେ ଏହି ଅସାଧୁ ଚାଲାଣକାରୀ ଏବଂ ଅସାଧୁ ବ୍ୟବସାୟୀ ମାନେ ଧରାପଡନ୍ତି ।

ଭଞ୍ଜନଗର ସର୍କଲ ବାଣିଜ୍ୟ, ଦ୍ରବ୍ୟ ଏବଂ ସେବାକର ଅଫିସ ଅଧୀନରେ ସମଗ୍ର ଭଞ୍ଜନଗର ଉପଖଣ୍ଡ ତଥା ଭଞ୍ଜନଗର ଏବଂ ଆସିକା ଅଫିସ ଆସିଥାଏ । ଏହି ଅଞ୍ଚଳରେ ବହୁ କ୍ରସର୍ ଠାରୁ ଆରମ୍ଭ କରି ବଡ଼ ବଡ଼ ଲୁଗା ଦୋକାନ, ସୁନା ଗହଣା ଦୋକାନ, ହାର୍ଡୱେର ଦୋକାନ, ଇଟା ଫ୍ୟାକ୍ଟ୍ରି, ଚାଉଳ ମିଲ, କୋଲ୍ଡ ଡ୍ରିଙ୍କସ ଉତ୍ପାଦନ କମ୍ପାନୀ, ହୋଟେଲ, ରେଷ୍ଟୁରାଣ୍ଟ, ସପିଙ୍ଗ ମଲ୍, ଗ୍ରୋସରି ଦୋକାନ, ଟେଣ୍ଟ ହାଉସ ରହିଛି । ଯଦି ସିଟି ଏବଂ ଜିଏସଟି କର୍ମଚାରୀ କିମ୍ବା ଜିଏସଟି ଏନଫୋର୍ସ ଟିମ୍ ଦ୍ଵାରା ବିଭିନ୍ନ ସମୟରେ ଏହି ବ୍ୟବସାୟ ଗୁଡ଼ିକର ଷ୍ଟକ୍, ବିଲ ବୁକ୍ ଏବଂ ରେଜିଷ୍ଟ୍ରାର ଯାଞ୍ଚ କରାଯାଏ ତେବେ ଅସାଧୁ ବ୍ୟବସାୟୀ ମାନେ ସତର୍କ ରହିବେ ଏବଂ ସରକାରଙ୍କୁ ଟିକସ ଫାଙ୍କିବାରୁ ନିବୃତ୍ତ ରହିବେ । ଜିଏସଟି ଅଫିସ ପକ୍ଷରୁ କର୍ମଚାରୀ ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ କ୍ଷେତ୍ର ନିରୀକ୍ଷଣ କରିବାକୁ ଯାଉଥିବା ବେଳେ ଜିଏସଟି ଅଫିସ ଗାଡ଼ି ଦେଖି ଅନ୍ୟ ଅସାଧୁ ବ୍ୟବସାୟୀ ମାନେ ଦୋକାନ ସଟର ବନ୍ଦ କରିଦେଉଥିବା ନଜିର ରହିଛି । ତେଣୁ ଜିଏସଟି କର୍ମଚାରୀ ମାନଙ୍କ ସହ ପୋଲିସ ବିଭାଗ ସମନ୍ୱୟ ରକ୍ଷା କରି ବିଭିନ୍ନ ସମୟରେ ଚଢଉ ଜାରି ରଖିଲେ ଅସାଧୁ ବ୍ୟବସାୟୀ ମାନେ ସୁଧୁରିବେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜିଏସଟି ଆଦାୟରେ ଅଭିବୃଦ୍ଧି ଘଟିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ତେଣେ ଜିଏସଟି ଫାଙ୍କୁଥିବା ଏବଂ ବ୍ୟବସାୟରେ ଅସାଧୁ ଉପାୟ ଅବଲମ୍ବନ କରି ଚଞ୍ଚକତା କରୁଥିବା ବ୍ୟବସାୟୀ ମାନଙ୍କ ନାମ ଜିଏସଟି ଅଫିସକୁ ଜଣାଇବା ସାଧାରଣ ଲୋକଙ୍କ କର୍ତ୍ତବ୍ୟ ଏବଂ ସୂଚନା ପ୍ରଦାନକାରୀଙ୍କ ନାମ ଗୋପନ ରଖାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କର ଜିଏସଟି ରିଟର୍ଣ୍ଣ୍ ଫାଇଲ କରିବାରେ ସହଯୋଗ କରୁଥିବା ଆକାଉଣ୍ଟାଣ୍ଟ, ଓକିଲ ଆଦି ଜିଏସଟି ବିଭାଗ ସହ ସମନ୍ୱୟ ରଖି ବ୍ୟବସାୟୀ ମାନଙ୍କୁ ଅସାଧୁ ଉପାୟ ଠାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *