
କଟକ: ନିଶା ସେବନ କରିବା ପରେ ରାସ୍ତାରେ ଅଶାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ଋଷିକେଶ ଖିଲାର ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।କଟକରେ ଶନିବାର ପାଳିତ ହେବାକୁଥିବା ହୋଲି ଉତ୍ସବକୁ ସୁରୁଖୁରୁରେ ପାଳନ କରିବା ପାଇଁ କମିସନରେଟ୍ ପୁଲିସ ପଦକ୍ଷେପ ନେଇଛି। କଟକ ଡିସିପି ଋଷିକେଶ ଖିଲାର କହିଛନ୍ତି ଯେ, ନିଶା ସେବନ କରିବା ପରେ ରାସ୍ତାରେ ଅଶାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଲୋକମାନଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖି ଶାନ୍ତିପୂର୍ଣ୍ଣ ଭାବରେ ରଙ୍ଗ ଖେଳିବାକୁ ଡିସିପି ନିବେଦନ କରିଛନ୍ତି। ସେ ନାଗରିକମାନଙ୍କୁ ନଦୀକୁ ଯିବା ପରିବର୍ତ୍ତେ ଘରେ ଗାଧୋଇବାକୁ ମଧ୍ୟ ପରାମର୍ଶ ପ୍ରଦାନ କରିଛନ୍ତି।କଟକ ଡିସିପି ନିଶାଦ୍ରବ୍ୟ ସେବନ କରିବା ପରେ ରଙ୍ଗ ନ ଖେଳିବାକୁ ଅପିଲ୍ କରିଛନ୍ତି। ସେ କୃତ୍ରିମ ରଙ୍ଗ ବ୍ୟବହାର ନ କରିବାକୁ ମଧ୍ୟ ଅପିଲ୍ କରି ସବୁଜ ରଙ୍ଗ ବ୍ୟବହାର କରି ହୋଲି ଖେଳିବାକୁ କହିଛନ୍ତି ।
ହୋଲି ପାଇଁ କଟକରେ ମୋଟ ୨୨ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ସନ୍ଧ୍ୟାରେ କମିଶନରେଟ୍ ପୁଲିସ ଏକ ଫ୍ଲାଗ ମାର୍ଚ୍ଚ କରିବ। ନଦୀ କୂଳରେ ଅଗ୍ନିଶମ ଏବଂ ଉଦ୍ଧାର କର୍ମଚାରୀଙ୍କୁ ନିୟୋଜିତ କରାଯିବ।ନିଷିଦ୍ଧ ବେଆଇନ ରଙ୍ଗ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ଡିସିପି କହିଛନ୍ତି ।