ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ

ନୂଆଦିଲ୍ଲୀ/କଟକ: ଆହ୍ଲାବାଦ ହାଇକୋର୍ଟକୁ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ମାର୍ଚ୍ଚ ୬ ଓ ୨୦ ତାରିଖ ବୈଠକରେ ଜଷ୍ଟିସ ସିହ୍ନାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି ବୋଲି ଜାରି ବିଜ୍ଞପ୍ତିରୁ ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି। ୧୯୬୫, ସେପ୍ଟେମ୍ବର ୨୨ରେ ଜଷ୍ଟିସ ଅରିନ୍ଦମ ସିହ୍ନା ଜନ୍ମ ଗ୍ରହଣ କରିଥିଲେ। ୧୯୯୧, ମାର୍ଚ୍ଚ ୧୧ରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୨୨ ବର୍ଷ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୩, ଅକ୍ଟୋବର ୩୦ରେ କଲିକତା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ଏହାପରେ ଓଡ଼ିଶା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା।୨୦୨୧, ଅକ୍ଟୋବର ୮ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୨୫, ଜାନୁଆରି ୧୯ରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଅବସର ଗ୍ରହଣ କରିବା ପରେ ଜାନୁଆରି ୨୦ରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି ।

Leave a Reply

Your email address will not be published. Required fields are marked *