କ୍ୟାବିନେଟ୍‌ ନିଷ୍ପତ୍ତି: ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ପୁରୁଣା ନିୟମରେ ନିଯୁକ୍ତି

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସଦସ୍ୟଙ୍କୁ ଏଣିକି ପୁରୁଣା ନିୟମ ଅନୁସାରେ ନିଯୁକ୍ତି ଦିଆଯିବ। ୨୦୨୦ ମସିହାରେ ଓଡ଼ିଶା ବେସାମରିକ ସେବା(ଥଇଥାନ ସହାୟତା) ନିୟମ ଲାଗୁ ହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ହୋଇଛି, ଥଇଥାନ ସମ୍ବନ୍ଧୀୟ ସମସ୍ତ ବିଚାରାଧୀନ ଆବେଦନ ଓଡ଼ିଶା ସିଭିଲ ସର୍ଭିସ(ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ। ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଗ୍ରୁପ୍ ସି କିମ୍ବା ଗ୍ରୁପ୍ ଡି ପଦବିରେ ନିଯୁକ୍ତି ଦେଉଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ଯ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା। ୨୦୨୦ ମସିହାରେ ତତ୍କାଳୀନ ସରକାର ନୂତନ ନିୟମାବଳୀ ପ୍ରଣୟନ କରିଥିଲେ। ବିପର୍ଯ୍ୟୟ ପ୍ରମାଣପତ୍ର ବଦଳରେ ମାର୍କିଂ ସିଷ୍ଟମ ଲଗାଇଥିଲେ। ଏହାସହ ଯେଉଁ ସରକାରୀ କର୍ମଚାରୀ ୧୯୯୦ରୁ ୨୦୨୦ ମସିହା ଭିତରେ ପ୍ରାଣ ହରାଇଥିଲେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀରେ ସାମିଲ କରାଯାଇଥିଲା। ଫଳରେ ଅନେକ ପରିବାର ଏହି ସହାୟତାରୁ ବଞ୍ଚିତ ହୋଇ ନିଯୁକ୍ତି ଦାବି କରି ଆସୁଛନ୍ତି। ଅନେକ ମାମଲା ମଧ୍ୟ ଦାୟର ହୋଇଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ, ୨୦୨୦ ମସିହାର ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁ ହେବ ।

ଏହାଦ୍ୱାରା ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଥିବା ଅନେକ ମାମଲା ହ୍ରାସ ପାଇବ। ଏହା ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ। ସେହିପରି ଓଡ଼ିଶା ପ୍ରାଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ) (ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ-୨୦୧୪ ଅନୁଯାୟୀ, ଓଡ଼ିଶା ପ୍ରାଶାସନିକ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀଙ୍କୁ ସେମାନଙ୍କ ପ୍ରୋବେସନ ସମୟରେ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ। ଇଣ୍ଡିଆନ୍ ପେନାଲ୍ କୋଡ୍ (ଆଇପିସି), କୋଡ୍ ଅଫ କ୍ରିମିନାଲ ପ୍ରୋସିଜ୍ୟୁର (ସିଆରପିସି) ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍‌ଏ) ୨୦୨୩ କାର୍ଯ୍ୟକାରୀ କରାଯିବା ହେତୁ, ଓଡ଼ିଶା ପ୍ରାଶାସନିକ ସେବା, ଗ୍ରୁପ- ଏ (ଜୁନିୟର ଶାଖା) (ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୪ର ପରିଶିଷ୍ଟ-୨ ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା। ତଦନୁଯାୟୀ,ଓଡିଶା ପ୍ରାଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ)(ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୪ର ପରିଶିଷ୍ଟ-୨ ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୬ର ପରିଶିଷ୍ଟ-୨ରେ ଥିବା ପାଠ୍ୟକ୍ରମର ଆବଶ୍ୟକୀୟ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୬ ଅନୁସାରେ, ଓଡ଼ିଶା ରାଜସ୍ୱ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ପ୍ରଶିକ୍ଷଣ ସମୟରେ ନିର୍ଦ୍ଧାରିତ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *