ପୂର୍ବତନ ବିଜେପି ରାଜ୍ୟ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଏକ ନିର୍ଦ୍ଦିଷ୍ଟ ନୀତି ଆଦର୍ଶକୁ ଆପଣାଇ ରାଜନୀତି କରିବା ବିରଳ। ଇତିହାସରେ ଏଭଳି କିଛି ମହାନ ବ୍ୟକ୍ତିତ୍ବ ଅଛନ୍ତି ଯେଉଁମାନେ ସାମୂହିକ ସ୍ବାର୍ଥ ପାଇଁ ନିଜର ସ୍ବାର୍ଥକୁ ପଛକୁ ଠେଲିଦିଅନ୍ତି। ଆଉ ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ। ଏଭଳି ବ୍ୟକ୍ତିତ୍ବର ଅଧିକାରୀ ହେଉଛନ୍ତି ଡାକ୍ତର ଦେବେନ୍ଦ୍ର ପ୍ରଧାନ। ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରି ମଧ୍ୟ ସେ ସଭିଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତିନି ଥର ଓଡ଼ିଶା ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ଜନନେତା ଡା. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ସର୍ବଦଳୀୟ ଶୋକସଭାରେ ଅତିଥିବୃନ୍ଦ ଏହି ମତ ରଖିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଲେ, ସ୍ବର୍ଗତ ପ୍ରଧାନ ଓଡ଼ିଶା ପରିବହନ କ୍ଷେତ୍ରର ପ୍ରମୁଖ ବିନ୍ଧାଣି ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟରେ ବହୁ ଜାତୀୟ ରାଜପଥ ସୃଷ୍ଟି ହୋଇପାରିଥିଲା। ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ ଚିରକାଳ ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପ୍ରଧାନମନ୍ତ୍ରୀଙ୍କ ଶୋକବାର୍ତ୍ତା ପାଠ କରିଥିଲେ। ରାଜ୍ୟସଭା ସାଂସଦ ଅରୁଣ ସିଂହ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଶୋକବାର୍ତ୍ତା ପାଠ କରିଥିଲେ। ବିରୋଧୀ ଦଳ ନେତାଙ୍କ ବାର୍ତ୍ତା ପାଠ କରିଥିଲେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର। ତୃଣମୂଳ ସ୍ତରରୁ ଉତ୍ସର୍ଗୀକୃତ ମନୋଭାବ ପାଇଁ ସ୍ବର୍ଗତ ପ୍ରଧାନ ଶୀର୍ଷ ସ୍ତରରେ ପହଞ୍ଚି ପାରିଥିଲେ। ତାଙ୍କ ବିୟୋଗରେ ଦେଶ ‌ଜଣେ ଆଦର୍ଶବାଦୀ ନେତାଙ୍କୁ ହରାଇଲା ବୋଲି କହିଥିଲେ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ସ୍ବର୍ଗତ ପ୍ରଧାନ ନିର୍ଦ୍ଦିଷ୍ଟ ନୀତିକୁ ପାଥେୟ କରି ରାଜନୀତି କରୁଥିଲେ ।

ରାଜନୀତିକୁ ଆସିବା ପାଇଁ ଆଗାମୀ ପିଢ଼ିଙ୍କ ମନରେ ଆଗ୍ରହ ଜନ୍ମାଇ ଥିଲେ। ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ, ସେ ରାଜନୀତିରେ ପ୍ରବେଶ କରିବା ପଛରେ ସ୍ବର୍ଗତ ପ୍ରଧାନଙ୍କ ବଳିଷ୍ଠ ଅବଦାନ ରହିଛି। ସମାଜର ବିକାଶ ଲାଗି ଯୁବନେତାମାନେ ଆଗେଇ ଆସନ୍ତୁ ବୋଲି ସ୍ବର୍ଗତ ପ୍ରଧାନ ସବୁବେଳେ ଚାହୁଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସ୍ବର୍ଗତ ପ୍ରଧାନଙ୍କ ସହିତ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଲେ ‌ଯେ ଓଡ଼ିଶାର ରାଜପଥ ବିକାଶ ଦିଗରେ ସ୍ବର୍ଗତ ପ୍ରଧାନ ସର୍ବଦା ଅଗ୍ରଗଣ୍ୟ ରହିବେ। ଦଳ, ମତ ନିର୍ବିଶେଷରେ ସେ ସର୍ବଦା ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଲେ ସ୍ବର୍ଗତ ପ୍ରଧାନ ଥିଲେ ଅନୁଭବ ଓ ଅଭିଜ୍ଞତାର ପାହାଡ଼। ଗର୍ବ ଓ ଅହଙ୍କାରକୁ ଛାଡ଼ି ଓଡ଼ିଶାର ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଓଡ଼ିଶାର ପରିବହନ କ୍ଷେତ୍ରକୁ ସ୍ବର୍ଗତ ପ୍ରଧାନଙ୍କ ଅବଦାନ ଅଦ୍ବିତୀୟ। ତାଙ୍କ ନୀତି ଆଦର୍ଶରେ ଆଗକୁ ବଢ଼ିଲେ ନିଶ୍ଚୟ ସଫଳତା ମିଳିପାରିବ ବୋଲି କହିଥିଲେ। ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସ୍ବର୍ଗତ ପ୍ରଧାନ କେବଳ ଜଣେ ଜନନାୟକ ଭାବେ ନିଜକୁ ପ୍ରତିଷ୍ଠିତ କରିନଥିଲେ, ବରଂ ବହୁ ଈର୍ଷଣୀୟ ସଫଳତାର ଅଧିକାରୀ ହୋଇପାରିଥିଲେ। ଜଣେ ସରଳ, ନିଷ୍କପଟ, ନମ୍ର ଓ ନିରହଙ୍କାର ମଣିଷ ଭାବେ ସେ ସଭିଙ୍କୁ ପ୍ରଭାବିତ କରିପାରିଥିଲେ।ଅନୁରୂପ ଭାବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଆର୍‌ଏସ୍‌ଏସ୍‌ ପ୍ରଚାରକ କୃଷ୍ଣ ମିଶ୍ର, ସଂଗଠକ ସରୋଜ ମିତ୍ର, ବିଶିଷ୍ଟ ସ୍ତମ୍ଭକାର ମହାମେଘବାହନ ଐର ଖାରବେଳ ସ୍ବାଇଁ, ପୂର୍ବତନ ସାଂସଦ ତଥାଗତ ଶତପଥୀ, ସାମ୍ବାଦିକ ରାଜାରାମ ଶତପଥୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ରାଜନେତା, ସମାଜସେବୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *