
ଭୁବନେଶ୍ବର: ଜଳ ସଂରକ୍ଷଣ, ଜଳ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ଼ ଭୂମିକା ରହିଛି। କିନ୍ତୁ ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ବିଶ୍ୱ ଜଳ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସହିତ ଜଳକୁ ନେଇ ଯେଉଁ ଯେଉଁ ରାଜ୍ୟ ସହ ବିବାଦ ଅଛି ତାକୁ ଆମେ ଗୁରୁତ୍ୱର ସହ ନେଇଛୁ। ତା’ର ତ୍ୱରିତ ସମାଧାନ କରାଯିବ। ମହାନଦୀକୁ ନେଇ ଛତିଶଗଡ଼ ସହ ବିବାଦ ଚାଲିଛି। ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛି। ଯେହେତୁ କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ଟ୍ରିପଲ-ଇଂଜିନ ସରକାର ଚାଲିଛି, ତେଣୁ ଏ ବିବାଦର ଆପୋଷ ସମାଧାନ ହେବ।ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ୨୦ ବର୍ଷ ଧରି ମାଟିର ଆର୍ଦ୍ରତା ଏବଂ ଗ୍ଲାସିଆରରେ ଗଚ୍ଛିତ ଜଳର ପରିମାଣ କ୍ରମାଗତ ଭାବେ କମିବାର ଲକ୍ଷ୍ୟ କରାଯାଇଛି। ଏ ସବୁ ଦୃଷ୍ଟିକୋଣରୁ ଆଗାମୀ ଦିନରେ ଜଳ ସଂରକ୍ଷଣ ଓ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ଅପରିହାର୍ଯ୍ୟ। ଆଗାମୀ ଦିନରେ କିଭଳି ଜଳ ସଂରକ୍ଷଣ ଓ ଜଳ ପରିଚାଳନାର ସୁବନ୍ଦୋବସ୍ତ ହେଇ ପାରିବ, ତାକୁ ଗୁରୁତ୍ୱ ଦେଇ ସେ ଦିଗରେ ଆମ ସରକାର ଆସିବା ପରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନାଲର ତଳ ମୁଣ୍ଡରେ ରହୁଥିବା ଚାଷୀ ପାଖରେ କିଭଳି ପାଣି ପହଞ୍ଚିବ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ଆଗାମୀ ୫ ବର୍ଷ ଅର୍ଥାତ ୨୦୨୯ ସୁଦ୍ଧା ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳ ସେଚିତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଆମ ସରକାରଙ୍କ ଲକ୍ଷ୍ୟ କେବଳ ଜଳସେଚନ ଯୋଗାଇବା ନୁହେଁ, ସାମଗ୍ରିକ ଭାବେ ଜଳ ପରିଚାଳନା କରିବା ମଧ୍ୟ। ଯାହାଦ୍ୱାରା ରାଜ୍ୟର ପ୍ରତ୍ୟେକ ଲୋକେ ପରିବେଶକୁ କ୍ଷତି ନପହଞ୍ଚାଇ ଆବଶ୍ୟକ ଜଳ ପାନୀୟ ତଥା ଅନ୍ୟ କାର୍ଯ୍ୟ ପାଇଁ ହାତ ପାହାନ୍ତାରେ ପାଇପାରିବେ। ଘରୋଇ ବ୍ୟବହାରରେ ଜଳ ଅପବ୍ୟବହାର ରୋକିବା, କୃଷି ଓ ଶିଳ୍ପ କ୍ଷେତ୍ରରେ ଜଳର ସୁବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ବିଭିନ୍ନ ରାଜ୍ୟ ସହ ନଦୀ ବିବାଦର ତ୍ବରିତ ସମାଧାନ କରାଯିବ୧୨୨୭ କୋଟିର ୧୮ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ୧୦୦ଟି ଚେକ୍ ଡ୍ୟାମ ଓ ୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ଲୋକାର୍ପିତଏହି ଅବସରରେ ମୁଖ୍ୟମନ୍ତ୍ରୀ ୮୦ କୋଟି ଟଙ୍କା ବ୍ୟୟରେ ୨୦ଟି ଜିଲ୍ଲା ପାଇଁ କରାଯାଇଥିବା ୧୦୦ ଟି ଚେକ୍ ଡ୍ୟାମ୍କୁ ଲୋକାର୍ପଣ କରିବା ସହ ୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯଥା କେନ୍ଦୁଝର ଜିଲ୍ଲାର ଘାସିଡ଼ିହି ଏମ୍ଆଇପି, ଗଞ୍ଜାମ ଜିଲ୍ଲାର ବିଲୁଆମରା ଏମ୍ଆଇପି, ଗଜପତି ଜିଲ୍ଲାର କୁରଲଣ୍ଡା ଏମ୍ଆଇପି ଏବଂ ମୟୂରଭଞ୍ଜ ଜିଲ୍ଲାର ବାଘିଆ ଏମ୍ଆଇପିର ୬୧.୫୩ କୋଟି ବ୍ୟୟରେ ହୋଇଥିବା ଭୂତଳ ପାଇପଲାଇନ୍ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର ୨୭,୩୩୭ ହେକ୍ଟର ଉଚ୍ଚ ଚାଷ ଜମିକୁ ଜଳସେଚନ କରାଯିବା ପାଇଁ ୧,୨୨୭କୋଟି ଟଙ୍କା ମୂଲ୍ୟର ୧୮ଟି ବୃହତ ଉଠା ଜଳସେଚନ ଯୋଜନାର ଶିଳାନ୍ୟାସ କରିଥିଲେ। ଏହାସହ ‘ଗୋ ୱାଟର’ ଇଆର୍ପି ଆପ୍ର ଶୁଭାରମ୍ଭ କରିବା ସହ ଏହି ସମ୍ପର୍କିତ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ପରିକଳ୍ପନା) ଲିଙ୍ଗରାଜ ଗୌଡ଼ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ ଆଶୁତୋଷ ଦାଶ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ପାଣିପଞ୍ଚାୟତର ସଦସ୍ୟ ମାନେ ଉପସ୍ଥିତ ଥିଲେ ।