ଆଇଏଏ ଅଲିଭ କ୍ରାଉନ ପୁରସ୍କାର ୨୦୨୫ : ପୁନଶ୍ଚ ପୃଥିବୀ ଅଭିଯାନକୁ ପୁରସ୍କାର

ମୁମ୍ବାଇ: ଓଡ଼ିଶାର ସର୍ବବୃହତ ଗଣମାଧ୍ୟମ ସଂଗଠନ, ସମ୍ବାଦ ଗ୍ରୁପର ପୁନଶ୍ଚ ପୃଥିବୀ ଅଭିଯାନ ଆଇଏଏ ଅଲିଭ୍ କ୍ରାଉନ୍ ପୁରସ୍କାରର ୧୫ତମ ସଂସ୍କରଣରେ ତିନୋଟି ପୁରସ୍କାର ଜିତିଛି । ଏହା ମଧ୍ୟରେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଅନ୍ତର୍ଭୁକ୍ତ । ପୁନଶ୍ଚ ପୃଥିବୀ ‘ଗ୍ରୀନ୍ କ୍ୟାମ୍ପେନ୍ ଅଫ୍ ଦି ଇୟର ଏବଂ ଇଭେଣ୍ଟସ୍ ବର୍ଗରେ ସ୍ବର୍ଣ୍ଣ ଜିତିଛି । ସେହିପରି ବର୍ଷର ସବୁଜ ବିଜ୍ଞାପନଦାତାଭାବେ ମଧ୍ୟ ରୌପ୍ୟ ଜିତିଛି। ଶୁକ୍ରବାର ମୁମ୍ବାଇଠାରେ ଅନୁଷ୍ଠିତ ଏହି ପୁରସ୍କାର ସମାରୋହରେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନରଓ୍ବେକର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସମ୍ବାଦଗ୍ରୁପ ପକ୍ଷରୁ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଗ୍ରହଣ କରି ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ କହିଛନ୍ତି, “ଇଣ୍ଟରନ୍ୟାସନାଲ ଆଡଭାର୍ଟାଇଜିଂ ଆସୋସିଏସନର ଇଣ୍ଡିଆନ୍ ଚାପ୍ଟର ଦ୍ୱାରା ଆୟୋଜିତ ଅଲିଭ୍ କ୍ରାଉନ୍ ପୁରସ୍କାର ୨୦୨୫ରେ ସମ୍ବାଦ ଗ୍ରୁପ୍ ତିନୋଟି ପୁରସ୍କାର ଜିତିଥିବାରୁ ମୁଁ ଆନନ୍ଦିତ। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରୱେକର ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହା ଭଲ ଲାଗୁଛି ଯେ ଆମେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା କରୁଥିବା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବେଶିକାମାନଙ୍କ ମଧ୍ୟରୁ ପୁରସ୍କାର ଜିତିଛୁ। ମୁଁ ମୋ ଦଳକୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ପାଇଁ ଧନ୍ୟବାଦ ଜଣାଉଛି ଯାହା ଆମକୁ ଏହି ସମ୍ମାନଜନକ ପୁରସ୍କାର ଦେଇଛି ।“୧୯୩୮ ମସିହାରେ ପ୍ରତିଷ୍ଠିତ, ଆନ୍ତର୍ଜାତୀୟ ବିଜ୍ଞାପନ ସଂଘ (ଆଇଏଏ) ହେଉଛି ଏକମାତ୍ର ବିଶ୍ୱସ୍ତରୀୟ ସଂଘ ଯାହା ମାର୍କେଟିୟର, ବିଜ୍ଞାପନଦାତା, ବିଜ୍ଞାପନ ଏଜେନ୍ସି ଏବଂ ଗଣମାଧ୍ୟମକୁ ପ୍ରତିନିଧିତ୍ୱ କରେ। ଏହା ୫୬ଟି ଚାପ୍ଟରକୁ ନେଇ ଗଠିତ ଏବଂ ଏହାର ମୁଖ୍ୟାଳୟ ନ୍ୟୁୟର୍କରେ ରହିଛି। ଏଥିରେ ମୋଟ ୭୬ଟି ଦେଶରୁ ସଦସ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *