
ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶନିବାର ଏମ୍ସ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଏହି ଜାତୀୟ ପ୍ରତିଷ୍ଠାନର ଅଭିବୃଦ୍ଧି ଏବଂ ଉତ୍କର୍ଷତାର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟର ସାକ୍ଷୀ ରହିବ। ଏହି ଗସ୍ତ ଅବସରରେ, ଶ୍ରୀ ନଡ୍ଡା କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍ଘାଟନ କରିବେ। ଏହି ବ୍ୟବସ୍ଥା, ଏମ୍ସ ଭୁବନେଶ୍ୱରର ଗବେଷଣା କ୍ଷମତାକୁ ଏକ ନୂତନ ଶିଖରକୁ ନେବାର ସମ୍ଭାବନା ରଖିଛି। ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ଡାକ୍ତର, ଗବେଷକ, ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ବିକାଶ ଏବଂ ସୁଦୂରପ୍ରସାରୀ ଚିକିତ୍ସା ଗବେଷଣା କ୍ଷେତ୍ରକୁ ସଶକ୍ତ କରିବ ବୋଲି ବିଶ୍ବାସ ଥିବା ମତବ୍ୟକ୍ତ କରିଛନ୍ତି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା ବହୁମୁଖୀ (ଗ୍ୟାଷ୍ଟ୍ରୋନୋମି) ବ୍ଲକ୍ର ଶିଳାନ୍ୟାସ କରିବେ। ଏହା ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଚିକିତ୍ସକ, କର୍ମଚାରୀ ଏବଂ ଜନସାଧାରଣଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ନେଇ ଯୋଜନା କରାଯାଇଛି। ଏହି ଆଧୁନିକ ଭିତ୍ତିଭୂମି ଗୋଟିଏ ଛାତ ତଳେ ବିବିଧ ସେବା ପ୍ରଦାନ କରିବାରେ ସହାୟକ ହେବ ।