କାମ କରୁନି ସ୍ବାସ୍ଥ୍ୟ ବୀମା କାର୍ଡ, ପୁଅର ଜୀବନ ପାଇଁ ଜମି ବନ୍ଧକ ପକାଇଲେ ବାପା

କୋରାପୁଟ: ରାଜ୍ୟ ସରକାର ନୂଆକାର୍ଡ ଏକକ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ଆରମ୍ଭ କରିବା ପରେ ଏବେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଘରୋଇ ଡାକ୍ତରଖାନାଗୁଡିକରେ ପୁରୁଣା କିମ୍ବା ନୂଆ ସ୍ବାସ୍ଥ୍ୟ ବୀମା କାର୍ଡ ଗୁଡ଼ିକ ୧୧ତାରିଖରୁ କାମ କରୁ ନଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣାକୁ ନେଇ ଜିଲ୍ଲାପରିଷଦ ବୈଠକରେ ବି ଗରମାଗରମ ଆଲୋଚନା ହୋଇଛି। ସୂଚନା ଅନୁଯାୟୀ ଗତ ୯ତାରିଖ ସଂଧ୍ୟା ସାଢ଼େ ୭ଟା ବେଳେ କୁନ୍ଦୁଲି–ପୁଙ୍ଗାର ନିକଟସ୍ଥ ଭାରତମାଳା ସଂଯୋଗ ରାସ୍ତାରେ ପଟାଙ୍ଗୀ ବ୍ଲକର ସମ୍ବାଇ ପଂଚାୟତର ଘେନୁ ସିଣ୍ଡିଆଙ୍କ (୨୫) ତଥା ଜିଲ୍ଲାପରିଷଦ ସଭ୍ୟ ଲଇଛନ ଖରାଙ୍କ ଭଣଜା ବସନ୍ତ ବାଇକରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ବସନ୍ତଙ୍କ ହାତ, ଗୋଡ଼ ଭାଙ୍ଗି ଯିବା ସହ ପେଟରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ ।

ଏଠାରେ ସଂକଟାପନ୍ନ ଥିବା ବସନ୍ତକୁ ଚିକିତ୍ସା ପାଇଁ ଶଯ୍ୟାା ଖଣ୍ଡିକ ମିଳିନଥିଲା। ଗୁରୁତର ଅବସ୍ଥାରେ ଥିବା ବସନ୍ତର ଅବସ୍ଥା ଧୀରେଧୀରେ ଖରାଫ ହେଉଥିବା ଦେଖି ପରିବାର ବର୍ଗ ବିଚଳିତ ହୋଇ ପଡିଥିଲେ। ଏହା ପରେ ମେଡିକାଲ କଲେଜର ଚିକିତ୍ସା କରୁଥିବା ଡାକ୍ତର ବି ଉନ୍ନତମାନର ଚିକିତ୍ସା ପାଇଁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଖରା।ଘରୋଇ ଆମ୍ବୁଲାନସ୍ ଭଡା କରି ବିଶାଖାପାଟଣାର ଘରୋଇ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ସହ ୧୦ତାରିଖ ଦିନ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଜରିଆରେ ହାତ ଓ ଗୋଡର ଅସ୍ତ୍ର ପ୍ରଚାର କରିଥିଲେ। ତେବେ ପେଟର ଅସ୍ତ୍ର ପ୍ରଚାର ୧୧ତାରିଖରେ କରିବାକୁ ବିଶାଖାପାଟଣା ଘରୋଇ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ୧୧ତାରିଖ ଦିନ ଆୟୁଷ୍ମାନ ଭାରତ ଏକକ କାର୍ଡରେ ଅସ୍ତ୍ରପ୍ରଚାର ହୋଇ ପାରିବ ନାହିଁ କିମ୍ବା ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡରେ ବି ହୋଇ ପାରିବ ନାହିଁ ବୋଲି ଘରୋଇ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା ।

ଅସ୍ତ୍ରପ୍ରଚାର ପାଇଁ ଏକ ଲକ୍ଷ ୨୦ହଜାର ଓ ଅନ୍ୟାନ୍ୟ ଖର୍ଚ୍ଚ ୪୦ହଜାର ତୁରନ୍ତ ଜମା କରିବାକୁ କୁହାଯାଇଥିଲା। ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଖରା ଏହା ଶୁଣିବା ପରେ ସେ ଜିଲ୍ଲାପାଳ ଭି.କୀର୍ତ୍ତିୱାସନଙ୍କ ସହ ଏସ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ତୁରନ୍ତ ଷ୍ଟେଟ ହେଲଥ୍ ଏସୁରେନସ୍ ସୋସାଇଟିର ସିଇଓଙ୍କ ଚିଠି ମଗାଇ ହ୍ବାଟ୍‌ସଅପ୍‌ରେ ପଠାଇଥିଲେ। ତେବେ ୧୧ତାରିଖରୁ କୌଣସି କାର୍ଡ କିମ୍ବା ଚିଠି କାମ କରିବ ନାହିଁ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଏହି ସ୍ଥିତିରେ ପୁଅର ଜୀବନ ବଂଚାଇବା ପାଇଁ ବାପା ନିଜ ଜମିକୁ ଦେଢ଼ଲକ୍ଷରେ ବନ୍ଧକ ରଖିବା ସହ ହାତଉଧାରୀ ଆଦି ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଛନ୍ତି। ତାଙ୍କ ନିକଟରେ ୨ଟି ସ୍ବାସ୍ଥ୍ୟ ବୀମା କାର୍ଡ ଏବଂ ଷ୍ଟେଟ ହେଲଥ୍ ଏସୁରେନସ୍ ସୋସାଇଟିର ସିଇଓଙ୍କ ଚିଠି ଥିବା ସତ୍ତ୍ବେ ଆନ୍ଧ୍ରର ଘରୋଇ ମେଡିକାଲ ଗୁଡିକ ମନା କରିଥିବା ଅଭିଯୋଗ କରିଛନ୍ତି ଜିଲ୍ଲାପରିଷଦ ସଭ୍ୟ। କେବଳ ବସନ୍ତଙ୍କ କ୍ଷେତ୍ରରେ ନୁହେଁ ଏଭଳି ଶତାଧିକ ଲୋକଙ୍କ ଅବସ୍ଥା ବୋଲି ଶ୍ରୀ ଖରା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *