
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ବଢ଼ିବାରେ ଲାଗିଛି ମୃଦୁପାନୀୟ ବିକ୍ରି। ନାମାଦାମୀ କମ୍ପାନି ସହ ୩୦ରୁ ଅଧିକ ନନ୍ ବ୍ରାଣ୍ଡ କମ୍ପାନିର ମୃଦୁପାନୀୟ ଭଞ୍ଜନଗର ସହର ସମେତ ଆଖପାଖ ବଜାରରେ ମିଳୁଛି। ପୂର୍ବାପେକ୍ଷା ବର୍ତ୍ତମାନ ନନ୍ ବ୍ରାଣ୍ଡ ମୃଦୁପାନୀୟ ଅଧିକ ବିକ୍ରି ହେଉଛି। ନାମିଦାମୀ କମ୍ପାନି ଠାରୁ କମ୍ ଦରରେ ମିଳୁଥିବାରୁ ଗ୍ରାହକ ଏହାକୁ ଅଧିକ ପସନ୍ଦ କରୁଛନ୍ତି। ସହର ଅପେକ୍ଷା ଗ୍ରାମାଞ୍ଚଳରେ ସର୍ବାଧିକ ବିକ୍ରି ହେଉଛି। ସହରର ଅନେକ ହୋଲସେଲ୍ ବ୍ୟବସାୟୀ ବ୍ରହ୍ମପୁର,କଟକ ସମେତ ରାଜ୍ୟ ବାହାରରୁ ଏହାକୁ ଆଣି ବ୍ୟବସାୟ କରୁଥିବା ଜଣାପଡ଼ିଛି। ଭଞ୍ଜନଗର ଭଳି ବ୍ୟବସାୟୀକ ପେଣ୍ଠ ସ୍ଥଳୀରେ ଖାଦ୍ୟ ସୁରକ୍ଷା ଅଧିକାରୀ ନଥିବାରୁ ତାହାର ମାନ ମଧ୍ୟ ପରୀକ୍ଷା କରାଯାଉନି।ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଘରୁ ବାହାରିଲେ ଲୋକେ ଆଉ ପାଣି ବୋତଲ ସାଙ୍ଗରେ ନେଇ ଯଉନାହାନ୍ତି। ସଚେତନ କଲେ ମଧ୍ୟ ଫଳ ଶୂନ। ଯଦ୍ଵାରା ବଜାରରେ ମିଳୁଥିବା ପାଣି ପାଉଚ ଓ ବୋତଲ ସମେତ ବିଭିନ୍ନ ନନ୍ ବ୍ରାଣ୍ଡ ମୃଦୁ ପାନୀୟର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଏ ସବୁ କେତେଯେ ବିଶୁଦ୍ଧ, ତାହା କେହି ଜାଣିନାହାନ୍ତି । ପାଣି ବୋତଲ କିମ୍ବା ମୃଦୁ ପାନୀୟ କିଣିବା ସମୟରେ ତାହାର ପ୍ୟାକେଜିଂ ଓ ଏକ୍ସପାଏରି ତାରିଖ ନଜରକୁ ଆସୁନି। ଉପଯୁକ୍ତ ଯାଞ୍ଚ ସହ ଗୁଣବତ୍ତା ପରୀକ୍ଷା କରାଯାଉନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହାଇଛି।ଯାହା ଫଳରେ ବଜାରରେ ନନ୍ ବ୍ରାଣ୍ଡ କମ୍ପାନୀର ଦଲାଲ ସକ୍ରିୟ ହୋଇ ଉଠିଛନ୍ତି। ନାମିଦାମୀ କମ୍ପାନି ସହ ପ୍ରତିଯୋଗିତା କରୁଛନ୍ତି ନନ୍ ବ୍ରାଣ୍ଡ ମୃଦୁପାନୀୟ ପ୍ରସ୍ତୁତ କରୁଥିବା କମ୍ପାନି। ନାମିଦାମୀ କମ୍ପାନୀ ଦର ୨୦ରୁ ୨୫ ଟଙ୍କା ରହୁଥିବା ବେଳେ ନନ୍ ବ୍ରାଣ୍ଡ ମୃଦୁ ପାନୀୟ ତାଠୁ କମ୍ ଦରରେ ମିଳୁଛି। ଶସ୍ତାରେ ବିକ୍ରି ହେଉଥିବାରୁ ଦିନକୁ ଦିନ ନନ୍ ବ୍ରାଣ୍ଡ ମୃଦୁପାନୀୟର ଚାହିଦା ବଢ଼ିବାରେ ଲାଗିଛି ।
ଏହାର ସୁଯୋଗ ନେଉଛନ୍ତି ବ୍ରହ୍ମପୁର ଓ କଟକ ସମେତ ରାଜ୍ୟ ବାହାରେ ଏହାକୁ ପ୍ରସ୍ତୁତ କରୁଥିବା ଲୋକାଲ୍ କମ୍ପାନି । ଅଳ୍ପ ଟଙ୍କା ବିନିଯୋଗରେ ଘରେ ମୃଦୁପାନୀୟ ପ୍ରସ୍ତୁତ କରୁଛନ୍ତି। ବଜାରରେ ମେସିନ୍,ଷ୍ଟିକର,ବୋତଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ସୁବିଧାରେ ମିଳିଯାଉଛି। ତେଣୁ ପ୍ରସ୍ତୁତ କର୍ତ୍ତାଙ୍କୁ ସମସ୍ୟା ହେଉନି। ଘରେ ପ୍ରସ୍ତୁତ କରି ବିଭିନ୍ନ କମ୍ପାନିର ଲୋଗୋ ଲଗାଇ ମୃଦୁପାନୀୟ ବଜାରକୁ ଛାଡ଼ୁଛନ୍ତି।ଭଞ୍ଜନଗର ସହର ସମେତ ଉପଖଣ୍ଡର ବିଭିନ୍ନ ସ୍ଥାନ ରେ ଏବେ ପ୍ରତ୍ୟେକ ଦୋକାନରେ ନନ୍ବ୍ରାଣ୍ଡ୍ ର ମୃଦୁପାନୀୟ ବହୁଳ ଭାବେ ବିକ୍ରି ହେଉଛି। କମ୍ ଦରରେ ଏହା ମିଳୁଥିବାରୁ ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ବିକ୍ରି ହେଉଛି। ଏହା ପିଇବା ଯୋଗ୍ୟକି ନାହିଁ, ତାହାର ଯାଞ୍ଚ କରାଯାଉନି । ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦୋକାନରେ ଚଢ଼ଉ ହୋଇନାହିଁ । କେବଳ ମୃଦୁ ପାନୀୟ ନୁହଁ, ନିମ୍ନ ମାନର ପାଣି ମଧ୍ୟ ବିକ୍ରି ହେଉଛି। ସେହିପରି ଅବଧି ଶେଷ ହୋଇଥିବା ନାମିଦାମୀ କମ୍ପାନିର ମୃଦୁପାନୀୟ ମଧ୍ୟ ବିକ୍ରି ହେଉଛି। ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।